ନୀଳଗିରି,୨୧/୧୦: ବାଲେଶ୍ଵର ଜିଲ୍ଲା ଔପଦା ଯୁବ ବିଜେଡି ଦଳର ନେତୃତ୍ୱ ନେଉଥିବା ଯୁବକମାନଙ୍କ ମଧ୍ୟରେ ବିଶୃଙ୍ଖଳା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ବ୍ଲକ ଉପସଭାପତି ତାଙ୍କ ପଦରୁ ଇସ୍ତଫା ଦେବା ସହ ଦଳ ଠାରୁ ସମ୍ପର୍କ ଛିନ୍ନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଔପଦା ବ୍ଲକର ବିଜେଡି ଯୁବ ସଭାପତି ବିଜୟ କୁମାର ପ୍ରଧାନ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଭାପତି କପିଳ ସାମଲଙ୍କ ସହିତ ବ୍ଳକର ଉପସଭାପତି ଲଷ୍ମୀଧର ପଣ୍ଡା ଓରଫ ବୁଲୁଙ୍କର କୌଣସି କାରଣରୁ କଥା କଟାକଟି ହୋଇଥିଲା ।
ଏହା ଉଗ୍ରରୂପ ଧାରଣ କରି ନୀଳଗିରି ଥାନାରେ ଘଟଣା ପହଞ୍ଚିଥିଲା । ପରେ ଥାନାରେ ଘଟଣାକୁ ନେଇ ବୁଝାମଣା ହୋଇଥିଲା ସତ ହେଲେ ରାଜନୈତିକ ଶତ୍ରୁତା ବୃଦ୍ଧି ପାଇଛି । ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତିଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତା ଓ ଦଳରେ ଯୁବ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ପ୍ରୋତ୍ସାହନ ଦିଆଯାଉଥିବାରୁ ବାଧ୍ୟ ହୋଇ ଉପସଭାପତି ଲକ୍ଷ୍ମୀଧର ପଣ୍ଡା ଜିଲ୍ଲା ଯୁବ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି ।
ଅପରପକ୍ଷରେ ବ୍ଲକ ଯୁବ ସଭାପତି ବିଜୟ କୁମାର ପ୍ରଧାନ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଦଳରେ ଉପସଭାପତି ବିଶୃଙ୍ଖଳା କରିବା ସହ ଗତକାଲି ମାର୍କେଟରେ ଗାଳିଗୁଲଜ କରିବା ମୋତେ ବ୍ୟଥିତ କରିଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ଜିଲ୍ଲା ଯୁବ ସଭାପତିଙ୍କ ଅନୁମୋଦନ କ୍ରମେ ପଦରୁ ଇସ୍ତଫା ଦେବା ସହ ଦଳୀୟ ନେତା ସନ୍ତୋଷ ଖଟୁଆଙ୍କୁ ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଥିବା ପ୍ରକାଶ କରିଛନ୍ତି ।