ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି, ଭିଡିଓ କନଫରେନ୍ସିଂରେ ଅଭିଯୋଗକୁ ଅସ୍ବୀକାର କଲେ : ପୀଡିତାଙ୍କ ଓକିଲ କହିଲେ ଗ୍ରହଣୀୟ ନୁହେଁ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ବର ୧୪।୧୨: ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ଜଗି ମଙ୍ଗତ ପଣ୍ଡା ତାଙ୍କ ଜବାବ ରଖିଛନ୍ତି । ସେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ନୋଟିସ୍ କରାଯାଇଥିଲେ ମଧ୍ୟ କମିଶନଙ୍କ ନିକଟରେ ହାଜର ହୋଇନଥିବା ଜଗି ମଙ୍ଗତ ପଣ୍ଡା ଆଜି ଭିଡିଓ କନଫେରେନ୍ସିଂ ଜରିଆରେ କମିଶନରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ।

ଅନ୍ୟପଟେ ଓଟିଭି ଏମଡିଙ୍କ ଜବାବକୁ ଗ୍ରହଣ କରିନାହାନ୍ତି ପୀଡିତାଙ୍କ ଓକିଲ । ସେ କହିଛନ୍ତି ଅଭିଯୋଗକୁ ଜଗି ଅସ୍ବୀକାର କରିବା ଆମପକ୍ଷେ ଗ୍ରହଣୀୟ ନୁହେଁ । ଏହାସହ ସେ ଜଗି ମଙ୍ଗତ ପଣ୍ଡାଙ୍କ ବିଳମ୍ବକୁ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ପୀଡିତାଙ୍କ ଓକିଲ କହିଛନ୍ତି ଓଟିଭି ଏମଡି ତଦନ୍ତରେ ସହଯୋଗ କରିଥିଲେ ତଦନ୍ତରେ ଏତେ ବିଳମ୍ବ ହୋଇନଥାନ୍ତା ।

ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଛନ୍ତି । ଏହାସହ ସୋମବାର ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଥିଲେ ପୀଡିତା ଏବଂ ତାଙ୍କ ମା’ । ଏ ଘଟଣାରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଘୋଷଣା କରାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.