ନୂଆଦିଲ୍ଲୀ, ୨୫/୦୨: ଭାରତ ସରକାର ଗୁରୁବାର ସୋସାଲ୍ ମିଡିଆ ଏବଂ ଓଟିଟି ପ୍ଲାଟ୍ଫର୍ମ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ଏକ ସାମ୍ୱାଦିକ ସମ୍ମୀଳନୀ କରି ଏହାର ସୂଚନା ଦେଇଛନ୍ତି ।
ରବିଶଙ୍କର ପ୍ରସାଦ ଏନେଇ କହିଛନ୍ତି ଯେ, ସୋସାଲ୍ ମିଡିଆ ପ୍ଲାଟ୍ଫର୍ମକୁ ନେଇ ଭାରତରେ ବ୍ୟବସାୟ କରିବାକୁ ସ୍ୱାଗତ କରାଯାଉଛି । ସରକାର ଏଥିପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ସୋସାଲ୍ ମିଡିଆକୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ନେଇ ହୋଇଥିବା ମାମଲାର ସାମ୍ନା କରିବାକୁ ମଧ୍ୟ ପଡ଼ିବ । ସୋସାଲ୍ ମିଡିଆ ପାଇଁ ଯେଉଁ ସବୁ ନିୟମ ଜାରି କରାଯାଇଛି ତାହାକୁ ୩ ମାସ ମଧ୍ୟରେ ଲାଗୁ କରାଯିବ ।
ସେ ପୁଣି କହିଛନ୍ତି, ଭାରତରେ ହ୍ୱାଟ୍ସ ଆପ୍ର ୫୩ କୋଟି, ଫେସ୍ବୁକ୍ର ୪୦ କୋଟିରୁ ଅଧିକ ଏବଂ ଟ୍ୱିଟର୍ରେ ପାଖାପାଖି ୧ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି । ଭାରତରେ ଏହି କମ୍ପାନୀ ଗୁଡ଼ିକର ସେବା ଅଧିକ ବ୍ୟବହାର କରାଯାଉଛି । କିନ୍ତୁ ଏହି ପ୍ଲାଟଫର୍ମକୁ ନେଇ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ଏହାର ସମାଧାନ ଜରୁରୀ ।
ପ୍ରକାଶ ଜାଭଡ଼େକର ଏନେଇ କହିଛନ୍ତି ଯେ, ଓଟିଟି ପ୍ଲାଟଫର୍ମ ବା ଡିଜିଟାଲ୍ ମିଡିଆକୁ ନିଜ କାମର ସୂଚନା ଦେବାକୁ ପଡ଼ିବ । ଏହା କିପରି କଣ୍ଟେଣ୍ଟ୍ ପ୍ରସ୍ତୁତ କରୁଛନ୍ତି ସେ ନେଇ ଜଣାଇବେ । ଏହାପରେ ସମସ୍ତଙ୍କୁ ସେଲ୍ଫ ରେଗୁଲେସନ୍କୁ ଲାଗୁ କରିବାକୁ ପଡ଼ିବ । ଏଥିପାଇଁ ଏକ ବୋର୍ଡ ପ୍ରସ୍ତୁତ କରାଯିବ । ଯେଉଁଥିରେ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ଜର୍ଜ କିମ୍ୱା ଅନ୍ୟ ଜଣେ ବ୍ୟକ୍ତି ଏହାର ମୁଖ୍ୟ ରହିବେ । ଇଲେକ୍ଟ୍ରୋନିକ୍ସ ମିଡିଆ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ମଧ୍ୟ ନିଜର ଭୁଲ୍ ପାଇଁ କ୍ଷମା ପାର୍ଥନା କରିବାକୁ ହେବ ।