ହାଇକୋର୍ଟ ଲିକ୍ୟୁଡେଟରଙ୍କ ସୂଚନା, ଆଜିଠାରୁ ଓଟିଏମ୍‌ ଭାର ନେବେ ରାଜ୍ୟ ସରକାର

Published By : Prameya-News7 Bureau | December 03, 2022 IST

ଭୁବନେଶ୍ୱର, ୦୩/୧୨: ଆଜିଠାରୁ ଓଟିଏମର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଗଲା ବୋଲି ସୂଚନା ଦେଲେ ହାଇକୋର୍ଟ ଲିକ୍ୟୁଡେଟର । ଓଟିଏମ୍ କମ୍ପାନୀର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବେ ରାଜ୍ୟ ସରକାର । ଦୀର୍ଘ ୨୨ ବର୍ଷ ହବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଓଟିଏମ୍ ଶିଳ୍ପକୁ ରାଜ୍ୟ ସରକାର ନିଜ ଅଧୀନକୁ ନେବାପରେ ସ୍ଥାନୀୟ ବାସିନ୍ଦା ଓ ପୂର୍ବତନ ଓଟିଏମ୍ କର୍ମଚାରୀମାନେ ବାଣ ଫୁଟାଇ ଉତ୍ସାହ ମନେଇ ଥିବା ଦେଖିବାକୁ ମିଳିଥିଲା l

ଚୌଦ୍ଵାର ଜମିରେ ହିଁ ୮୦ ୟୁନିଟ ବିଶିଷ୍ଟ ଟେକ୍ସଟାଇଲ କ୍ଲଷ୍ଟର ସ୍ଥାପନ କରାଯିବ ବୋଲି ମେକି ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ (conclave) ରେ ସୂଚନା ଦେଇଥିଲେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା। ଅନ୍ୟପଟେ ୫ ତାରିଖ ସୁଦ୍ଧା ଓଟିଏମ୍ ସମ୍ପତ୍ତି ଦଖଲ ନେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତାଗିଦ୍ କରିବା ପରେ ଆଜି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ସମ୍ପୂର୍ଣ୍ଣ ହସ୍ତାନ୍ତର ପ୍ରକ୍ରିୟାରେ ଲିକ୍ୟୁଡେଟର, ସରକାରଙ୍କ ପକ୍ଷରୁ ତହସିଲଦାର, ଇଡ଼କୋ ଓ ସ୍ଥାନୀୟ ପୋଲିସ ପ୍ରଶାସନଙ୍କ ଉପସ୍ଥିତିରେ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା l

ପୂର୍ବରୁ ଏହି ମାମଲାରେ ୧୧୫ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୧୫ ସୁଦ୍ଧା ଟଙ୍କା ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଅଫିସିଆଲ୍ ଲିକ୍ୟୁଡେଟରଙ୍କ ନିକଟରେ ରାଜ୍ୟ ସରକାର ଟଙ୍କା ଜମା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏକଦା ରାଜ୍ୟର ବୟନଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସରକାରୀ ଉତ୍ପାଦନକାରୀ ଓଟିଏମ୍‌ ପରିଚାଳନାଗତ ତ୍ରୁଟି ଲାଗି ତାର ଗୌରବ ହରାଇଥିଲା । ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହେବା ସହ ଶ୍ରମିକ ଅଶାନ୍ତି ଜାରି ରହିଥିଲା । ତେବେ କଟକ ଚୌଦ୍ୱାରରେ ସ୍ଥାପିତ ଏହି ଟେକ୍ସଟାଇଲ୍‌ ମିଲ୍‌କୁ ପୁଣି ସକ୍ରିୟ କରିବାକୁ ଦାବି ହୋଇଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.