ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲରେ ORS ଦିବସ ଓ ସପ୍ତାହ ପାଳନ, ଡାକ୍ତରଙ୍କ ମତରେ ଶିଶୁମାନଙ୍କ ପାଇଁ ଓଆର୍ଏସ୍ ଭ୍ୟାକ୍ସିନ୍ ସଦୃଶ
28/07/2023 at 6:44 PM

ଭୁବନେଶ୍ୱର ୨୮।୭: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ (ଓଆର୍ଏସ୍) ପାନୀୟ ପ୍ରଦାନ କରିବା ଆବଶ୍ୟକ । କୋଭିଡ ସମୟରେ ଯେପରି ଟୀକା ରକ୍ଷା କବଚ ସାଜିଥିଲା ଶିଶୁମାନଙ୍କୁ ଡାଇରିଆ ହେଲେ ଓଆରଏସ୍ ଠିକ୍ ସେହିପରି କାର୍ଯ୍ୟ କରିଥାଏ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଓଆର୍ଏସ୍ ଦିବସ ଓ ସପ୍ତାହ ପାଳନ ଅବସରରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଶିଶୁମାନଙ୍କୁ ଓଆର୍ଏସ୍ ଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବାର ସଚେତନ ହେବା ଆବଶକ୍ୟକ ।
ଏହି ଅବସରରେ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଯୋଗ ଦେଇ ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା ବୋଲି କହିଥିଲେ ।
ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି କହିଥିଲେ ଯେ, ଡାକ୍ତରମାନେ ଡାଇରିଆରେ ପୀଡ଼ିତ ଥିବା ଶିଶୁମାନଙ୍କ ନିମନ୍ତେ ଔଷଧର ପରାମର୍ଶ ଦେବା ସମୟରେ ଓଆର୍ଏସ୍କୁ କିଭଳି ଭାବରେ ବ୍ୟବହାର କରିବେ ସେ ଦିଗରେ ବାପା-ମା’ମାନଙ୍କୁ ଉପଯୁକ୍ତ ଭାବେ ବୁଝାନ୍ତୁ ।
ଏହି କାର୍ଯ୍ୟକ୍ରମରେ ଆଇଏପିର ପ୍ରମୁଖ ସଦସ୍ୟ ପ୍ରଫେସର ପ୍ରଶାନ୍ତ ସାବତ ଯୋଗ ଦେଇ ଓଆରଏସ୍ ଦ୍ୱାରା କିଭଳି ଡାଇରିଆଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇପାରିଛି ସେ ସମ୍ପର୍କରେ ତଥ୍ୟ ରଖିଥିଲେ ।
ଏହି ଅବସରରେ ସମ୍ର ଶିଶୁରୋଗ ବିଭାଗର ପ୍ରଫେସର ଦିଲ୍ଲୀପ କୁମାର ଦାସ କହିଥିଲେ ଯେ, ଡାଇରିଆର ଚିକିତ୍ସା ନିମନ୍ତେ ଓଆରଏସ୍ ସବୁଠାରୁ ସାଧାରଣ, ଶସ୍ତା ଓ ପ୍ରମାଣିତ ଥେରାପି । ଏହାକୁ ଆମେ କେହି ବି ଅଣଦେଖା କରିବା ଉଚିତ୍ ନୁହେଁ । ଡାଇରିଆରୁ ମୁକ୍ତି ପାଇବା ପାଇଁ କେତେ ମାତ୍ରାରେ ଓଆରଏସ ସେବନ, ସେହି ସମୟରେ ଶିଶୁକୁ ସ୍ତନ୍ୟପାନ, ସ୍ତନ୍ୟପାନ କରୁ ନଥିବା ଶିଶୁଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱଚ୍ଛତା ଅବଲମ୍ବନ ଏବଂ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଭଳି ୫ଟି ଉପଦେଶ ପ୍ରଫେସର ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଶିଶୁରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ପ୍ରଫେସର ରଚିତା ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ମୃଣ୍ମୟ ଦାସମହାପାତ୍ର ଓ ଡାକ୍ତର ବିଭୁଦତ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
You Can Read :