ବାଲିଯାତ୍ରାରେ ଜମିଲା ବ୍ୟବସାୟ, ORMASର ରେକର୍ଡ ଆୟ

Published By : Prameya-News7 Bureau | December 05, 2023 IST

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ କରିଛି ଓରମାସ୍ । ଚଳିତ ବର୍ଷ ବାଲିଯାତ୍ରାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ୩୫ କୋଟିର ବ୍ୟବସାୟ କରି ରେକର୍ଡ ଭାଙ୍ଗିଛି ଓରମାସ୍। ପୂର୍ବବର୍ଷ ବାଲିଯାତ୍ରାରେ ୪୦୦ଟି ଷ୍ଟଲ ଖୋଲିଥିବା ବେଳେ ଚଳିତ ବର୍ଷ ୪୨୦ଟି ଷ୍ଟଲ ଖୋଲିଥିଲା। ଆଉ ଗତ ବର୍ଷ ପ୍ରାୟ ୨୫ କୋଟି ଟଙ୍କାର ବ୍ୟବସା ହୋଇଥିବା ବେଳେ ଚଳିତ ବର୍ଷ ବ୍ୟବସାୟ ୩୫କୋଟି ଟଙ୍କା ଟପିଛି।

ଗାଁ ଗହଳିରୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନେ ଯେଉଁ ଗ୍ରାମୀଣ ସାମଗ୍ରୀ ଓ ହସ୍ତକଳା ଜିନିଷ ଆଣି ବାଲିଯାତ୍ରା ଆସିଥିଲେ, ତା’ର ଚାହିଦା ଖୁବ୍‌ ଭଲ ରହିଛି ବୋଲି କହିଛନ୍ତି ଓରମାସ ଯୁଗ୍ମ ସିଇଓ । ସେ ଆହୁରି କହିଛନ୍ତି ଚାହିଦା ଏତେ ଅଧିକ ରହିଛି ଯେ, ବାଲିଯାତ୍ରାରେ ଚାରିଶହ ସ୍ଥାନରେ ଚାରି ହଜାର ଷ୍ଟଲ ଖୋଲିଲେ ମଧ୍ୟ ଲୋକଙ୍କ ଚାହିଦା ରହିବ।

ସେପଟେ ଜବରଦସ୍ତ ବ୍ୟବସାୟ କରି ବ୍ୟବସାୟୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଆଶାଠାରୁ ଢେର୍ ଅଧିକ ବ୍ୟବସାୟ ହୋଇଥିବା ଅଧିକାଂଶ ବ୍ୟବସାୟୀ କହିଛନ୍ତି । ତେବେ ଆସନ୍ତା ବର୍ଷ ଵାଲିଯାତ୍ରାରେ ଓରମାସ୍‌ର କଳେବର ବଢାଇ ଗ୍ରାମୀଣ ଜିନିଷ ଗୁଡ଼ିକ ପାଇଁ ଏକ ବୃହତ୍ ବଜାର ସୃଷ୍ଟି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଓରମାସ୍ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.