ମାଉଣ୍ଟେନ୍ ରାଲି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ଓଡ଼ିଆ ଯୁବକ ବୈଭବ ଚୌଧୁରୀ

Published By : Prameya-News7 Bureau | June 22, 2022 IST

ଭୁବନେଶ୍ୱର ୨୨/୬ : ତାପମାତ୍ରା ମାଇନସ ୧୮ ଡିଗ୍ରୀ। ୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉଣ୍ଟେନ ରାଲି। ସବୁଠୁ ଅଦ୍ଭୁତ କଥା ହେଲା ଏ ବିପଦ ପୂର୍ଣ୍ଣ ରାଲିରେ ଗାଡ଼ି ଚାଳକଙ୍କୁ ଜଣାନଥାଏ ରାସ୍ତା। କେବଳ କାରରେ ଖଞ୍ଜାଯାଇଥିବା କମ୍ପ୍ୟୁଟର, ରାସ୍ତାର ମ୍ୟାପ୍ ବହି ଓ ସାଥୀରେ ଥିବା ନାଭିଗେଟର (ପଥ ପ୍ରଦର୍ଶକ) ହିଁ ଭରସା। ଜୀବନକୁ ବାଜି ଲଗାଇ ଏହି ଆଡଭେଞ୍ଚର ରେସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପୁଅ ବୈଭବ ଚୌଧୁରୀ। ଏ ଯାତ୍ରାରେ ତାଙ୍କୁ ସାଥ୍ ଦେଇଥିଲେ ନାଭିଗେଟର ଶାଶ୍ୱତ ସ୍ୱାଇଁ। ପ୍ରଥମ ଥର ଏଭଳି ବିପଦପୂର୍ଣ୍ଣ ଯାତ୍ରାରେ ଭାଗ ନେଇ ବିଭିନ୍ନ ରାଜ୍ୟର ଜଣାଶୁଣା ଆଡଭେଞ୍ଚର କାର ରେସରଙ୍କୁ ପଛରେ ପକାଇଛନ୍ତି ବୈଭବ। ଏଭଳି ଏକ ପ୍ରତିଯୋଗିତାରେ ସେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।

ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗର ସବୁଠୁ ବଡ଼ ଇଭେଣ୍ଟ ରାଲି ଅଫ୍ ଚମ୍ବା-୨୦୨୨। ହିମାଚଳ ପ୍ରଦେଶରେ ଆୟୋଜିତ ହୋଇ ଆସୁଥିବା ଏହି ରାଲିରେ  ସାମିଲ ହେବା ଆଦୌ ସହଜ ନୁହେଁ। ସାହାସ, ଉତ୍ସାହର ସହ  ଏଥିରେ  ସାମିଲ ହୋଇଥିଲେ ଓଡ଼ିଆ ପୁଅ ବୈଭବ। ଏହି ରାଲିର ଥାର୍ଡ କ୍ୟାଟେଗୋରିରେ ଯୋଗ ଦେଇଥିଲେ ବୈଭବ।

ପ୍ରଥମ ଦିନରେ ଚମ୍ବାରୁ ୧୭୮ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା। ରାସ୍ତା ଏମିତି ଥିଲା ଯେ ଗାଡ଼ିର ଚଉଡ଼ା ଯେତିକି ରାସ୍ତାର ଚଉଡ଼ା ବି ପ୍ରାୟ ସେତିକି, ତାହା ପୁଣି ପାହାଡ଼ ଘାଟି ରାସ୍ତା। କେତେବେଳେ ଅଚାନକ ବାମକୁ ମୋଡ଼ିବାକୁ ପଡ଼ୁଥାଏ ତ ପୁଣି କେତେବେଳେ ଡାହାଣର ଗଳି ରାସ୍ତାକୁ। ତଥାପି ନାଭିଗେଟର ଶାଶ୍ୱତଙ୍କ ସହ ଉତ୍ତମ ବୁଝାମଣା ଯୋଗୁ ବୈଭବ ଆଗେଇ ଚାଲିଥିଲେ।

ଦ୍ୱିତୀୟ ଦିନ ରାସ୍ତା ଥିଲା ଆହୁରି ବିପଦପୂର୍ଣ୍ଣ। ଏ ବିପଦର ନାଁ ‘କିଲର୍ ସଚ୍ ପାସ୍’। ହିମାଚଳର ଏ ରାସ୍ତା ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା। ସେଥିପାଇଁ ଏ ରାସ୍ତାରେ ସାଧାରଣ ଲୋକଙ୍କୁ  ଛଡ଼ା ଯାଏନାହିଁ। ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏ ରାସ୍ତା। ହେଲେ ଜୀବନକୁ ବାଜି ଲଗାଇ ସାହସ ଓ ବୁଦ୍ଧିମତାର ସହ ବୈଭବ ଗାଡ଼ିକୁ ସତର୍କତାର ସହ ଆଗକୁ ନେଇ ଚାଲି ଥିଲେ। ଡ୍ରାଇଭିଂ ପାଇଁ ସର୍ତ୍ତାବଳୀ ବି ଅତି କଠିନ ଥାଏ। ବିଳମ୍ବରେ ପହଞ୍ଚି ହେବନି କିମ୍ବା ଶୀଘ୍ର ବି ପହଞ୍ଚି ହେବନି। ଧାର୍ଯ୍ୟ ସମୟରେ ହିଁ ପହଞ୍ଚିବାକୁ ହେବ। ଏମିତି ବିପଦପୂର୍ଣ୍ଣ ରାସ୍ତା ପାର୍ ହେବା ପାଇଁ ସବୁଠୁ ବଡ଼ ବିପଦ ଥିଲା ପାଣିପାଗ। ମାଇନସ ୧୫ ଡିଗ୍ରୀ ତାପମାତ୍ରା। ରାସ୍ତାରେ ଖାଲି ବରଫ। ବ୍ରେକ ମାରିଲେ ଗାଡ଼ି ଅଟକି ନଥାଏ, ଖସି ଯାଉଥାଏ। ତଥାପି ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଥିଲେ ବୈଭବ। ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ବୈଭବଙ୍କୁ ଶ୍ରେଷ୍ଠ ଡ୍ରାଇଭର ଭାବେ ପୁରସ୍କୃତ କରା ଯାଇଛି। ଏହାସହ ସର୍ବଭାରତୀୟ ସ୍ତରରେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି।

ବୈଭବ ହେଉଛନ୍ତି କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ। ଦୁଃସାହସିକ ଡ୍ରାଇଭିଂ ପାଇଁ ବୈଭବ ଓଡ଼ିଶାର ନାଁ ରଖିଛନ୍ତି। ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ବୈଭବ ଭାଗ ନେବା ପାଇଁ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡୀଗଡ଼ରେ ପୂର୍ବରୁ ଅଭ୍ୟାସ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.