କଟକ ୨୬।୯: ଆସନ୍ତା ମାସ ୫ ତାରିଖ ସୁଦ୍ଧା ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାଘାଟ ଗୁଡିକ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ପୂର୍ତ୍ତ ସଚିବ । ସେହିପରି ଏସସିବି ମେଡିକାଲରେ ଲାଗି ରହିଥିବା ନାନାବିଧ ସମସ୍ୟାର ଖୁବ୍ଶୀଘ୍ର ସମାଧାନ କରାଯିବ ବୋଲି ହାଇକୋର୍ଟଙ୍କୁ ସ୍ୱାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ କଟକ ସହର ସମସ୍ୟାକୁ ନେଇ ସିଏମସି ଉପରେ ଖୁବ୍ ବର୍ଷିଛନ୍ତି ହାଇକୋର୍ଟ । କମଳାକାନ୍ତ ବିଦ୍ୟାପୀଠ ନିକଟରୁ ଯଦି ବର୍ଷା ଜଳ ନିଷ୍କାସିତ ନହୋଇ ପାରୁଛି, ତେବେ କ’ଣ ସେଠାରେ ଡ଼ଙ୍ଗା ପଡିବ ବୋଲି ସିଏମସି କମିଶନରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ବିପର୍ଯ୍ୟସ୍ତ ରାସ୍ତାଘାଟର ତ୍ୱରିତ ବେଗରେ ମରାମତି କରାଇବା, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବା, ମଶା ନିୟନ୍ତ୍ରଣ ଲାଗି ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସିଏମ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଆଗକୁ ଦଶହରା ଆସୁଥିବାରୁ ରାସ୍ତା ଅବରୋଧ ନକରିବା ଲାଗି ତାଗିତ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବା, ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତା ଭିତରେ ସମସ୍ତ ନିର୍ଦ୍ଦେଶର ସଠିକ ଅନୁପାଳନ ଲାଗି କୋର୍ଟ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ, ସିଏମସି କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସିଟି ଇଞ୍ଜିନିୟର, ଏସସିବି ଅଧିକ୍ଷକ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ଥିଲେ । ଅନ୍ୟପଟେ, ରାଜ୍ୟ ସ୍ବାସ୍ଥ୍ୟ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଏବଂ କଟକ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ।
You Can Read:
କେନ୍ଦୁଝର ଜିଲ୍ଲାରେ ନିଯୁକ୍ତି ପାଇବେ ୧୩୨୯ ଜଣ କନିଷ୍ଠ ଶିକ୍ଷକ, ଅକ୍ଟୋବରରେ କାର୍ଯ୍ୟରେ ଯୋଗଦେବେ