ଆର୍ଟିମିସ୍-୧ ମିସନ୍‌: ପୃଥିବୀକୁ ଫେରୁଛି ଓରିୟନ ସ୍ପେସ୍‌ କ୍ରାଫ୍ଟ

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ ୩୦।୧୧: ଆର୍ଟିମିସ୍ ପ୍ରୋଗ୍ରାମର ପ୍ରଥମ ଫ୍ଲାଇଟ୍ ଆର୍ଟିମିସ୍-୧ରେ ଓରିୟନ ସ୍ପେସ୍ କ୍ରାଫ୍ଟ ସୋମବାର ପୃଥିବୀଠାରୁ ପାଖାପାଖି ୪ଲକ୍ଷ ୩୫ ହଜାର କିଲୋମିଟର ଦୂରରେ ଥିଲା। ଯାହା ପୃଥିବୀ ଓ ସ୍ପେସ୍‌ କ୍ରାଫ୍ଟ ମଧ୍ୟରେ ସବୁଠୁ ଦୀର୍ଘତମ ଦୂରତା ଥିଲା। ଓରିୟନ ସ୍ପେସ୍ କ୍ରାଫ୍ଟ ଚନ୍ଦ୍ରକୁ ୨ ଚକ୍କର ମାରିବା ପରେ ଏବେ ପୃଥିବୀକୁ ଫେରୁଛି। ୨୬ ନଭେମ୍ବର ଶନିବାର ସ୍ପେସ୍ କ୍ରାଫ୍ଟ ୪ ଲକ୍ଷ ୧୭୧ କିଲୋମିଟର ଦୂରରେ ଥିଲା। ଯାହା ଆପୋଲୋ-୧୩ କ୍ରୁ କମାଣ୍ଡ ମଡ୍ୟୁଲ ଅତିକ୍ରମ କରିଥିବା ରେକର୍ଡ ଦୂରତାର ପାଖାପାଖି ଥିଲା।

ମଙ୍ଗଳ ମିସନ ପରେ ନାସାଙ୍କର ଆର୍ଟିମିସ୍-୧ ପ୍ରଥମ ଚନ୍ଦ୍ର ମିସନ। ଏହି ମହାକାଶ ଯାନକୁ ନଭେମ୍ବର ୧୬ ତାରିଖ ଦିନ ନାସାଙ୍କ ସ୍ପେସ୍ ଲଞ୍ଚ ସିଷ୍ଟମ (ଏସଏଲଏସ)ରୁ ଲଞ୍ଚ କରାଯାଇଥିଲା। ଆର୍ଟିମିସ ମିସନ ଭବିଷ୍ୟତରେ ଅନ୍ତରୀକ୍ଷକୁ ପ୍ରେରଣ କରାଯିବାକୁ ଥିବା ମାନବ ମିସନ ପୂର୍ବରୁ ସ୍ପେସ୍ କ୍ରାଫ୍ଟର କ୍ଷମତା ଯାଞ୍ଚ ଲାଗି ଏକ ପରୀକ୍ଷଣ ଥିଲା। ୨୦୨୦ ଦଶକ ଶେଷ ବେଳକୁ କ୍ରୁ ମିସନ ସଞ୍ଚାଳନ କରିବା ଏହି ମିସନର ମୁଖ୍ୟ ଉଦ୍ଦେଶ୍ୟ।

ଏହି ମିସନକୁ ଇତି ମଧ୍ୟରେ ୧୪ ଦିନ ହୋଇ ଯାଇଛି ଓ ତାହା ଏବେ ଫେରିବା ରାସ୍ତାରେ।ଓରିୟନ କ୍ୟାପସୁଲ ବର୍ତ୍ତମାନ ପୃଥିବୀ ଠାରୁ ୪୧,୮୨୩୪ କିଲୋମିଟର ଦୂରରେ।  ଏହି ସ୍ପେସ୍ କ୍ରାପ୍ଟ ଏବେ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୩୦୩୮ କିମି ବେଗରେ ଆସୁଛି। ଡିସେମ୍ବର ୧୧ ତାରିଖ ଦିନ ଓରିୟନ ପୃଥିବୀକୁ ଫେରିଆସିବ। ଏହା କାଲିଫର୍ଣ୍ଣିଆ ଉପକୂଳରୁ ଦୂରରେ ପ୍ରଶାନ୍ତ ମହାସାଗରରେ କେଉଁଠି ଅବତରଣ କରିବ।

ଯଦି ଆର୍ଟିମିସ୍-୧ ମିସନ ସଫଳ ହୁଏ ତେବେ ନାସା ଆର୍ଟିମିସ୍‌ -୨ ଲାଗି ପ୍ରସ୍ତୁତି ଆରମ୍ଭ କରିବେ। ଏହି ମିସନରେ ୨୦୨୪ ଆଖପାଖରେ ଆଷ୍ଟ୍ରୋନଟସ୍‌ଙ୍କୁ ଚନ୍ଦ୍ରମା ଓ ଏହାର ଆଖପାଖକୁ ପଠାଯିବ। ନାସା ୨୦୨୫ରେ ଆର୍ଟିମିସ୍-୩ଲଞ୍ଚ କରିବା ଲାଗି ଯୋଜନା କରିଛନ୍ତି। ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.