ନୂଆଦିଲ୍ଳୀ, ୦୩/୦୧: ବିଗତ କିଛି ବର୍ଷରେ ଭାଇରସକୁ ନେଇ ସମସ୍ତେ ଚିନ୍ତିତ। କରୋନା ଭାଇରସ ହେଉ ଅବା ଅନ୍ୟ ଭାଇରସ, ଏସବୁ ଏବେ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି। କିନ୍ତୁ ପ୍ରଥମ ଥର ବୈଜ୍ଞାନିକଙ୍କୁ ଏକ ଏଭଳି ଜୀବ ମିଳିଛି ଯାହା ଭାଇରସ ଖାଇଥାଏ। ଅର୍ଥାତ୍ ଭାଇରସକୁ ଶେଷ କରିଦିଏ। ଏହି ଖୋଜ୍ ଆମେରିକା ସ୍ଥିତ ୟୁନିଭର୍ସିଟି ଅଫ୍ ନେବ୍ରାସ୍କା-ଲିଙ୍କନ୍ର ବୈଜ୍ଞାନିକ କରିଛନ୍ତି। ଭବିଷ୍ୟତରେ ଏହି ଜୀବ ଉପରେ ନିୟନ୍ତ୍ରଣ କରି ଭାଇରସକୁ କାବୁ କରାଯାଇପାରେ।
ପ୍ରକୃତରେ ସ୍ବଚ୍ଛ ପାଣିରେ ଥିବା ଏକ ପ୍ଲାଙ୍କଟନ୍ ଦୁନିଆାର ପ୍ରଥମ ଏଭଳି ଜୀବ ଯାହା କେବଳ ଭାଇରସ ଖାଇଥାଏ। ଏମିତି ନୁହେଁ ଯେ ଏହା ଏଭଳି ଏକମାତ୍ର ଜୀବ ଯିଏକି ଭାଇରାସ ଖାଏ। ଅନ୍ୟ ଜୀବ ମଧ୍ୟ ଅଛନ୍ତି ଯେଉଁମାନେ ଆବଶ୍ୟକ ପଡ଼ିଲେ ଭାଇରସ ଖାଇଥାନ୍ତି। ଭାଇରସକୁ ଖାଉଥିବା ଜୀବଙ୍କୁ ବୈଜ୍ଞାନିକମାନେ ଭିରୋଭୋରୀ ନାମ ଦେଇଛନ୍ତି।
ତେବେ ଯେଉଁ ପ୍ଲାଙ୍କଟନ୍ କେବଳ ଭାଇରସ ଖାଇଥାଏ, ତାହାର ନାମ ହେଉଛି ହାଲ୍ଟେରିଆ। ପରୀକ୍ଷଣ ସମୟରେ ଲାବ୍ରେ ଏହି ଜୀବ କ୍ଲୋରୋଭାଇରସକୁ ଖାଇଥିଲା, ଯାହାକି ଏକ ବ୍ୟାକ୍ଟେରିଆ ଆକାରର ଭାଇରସ। ଏହାକୁ ଖାଇ ହାଲ୍ଟେରିଆ ସ୍ବଚ୍ଛ ପାଣିରେ ନିଜ ବଂଶ ବୃଦ୍ଧି କରିଥାଏ।
କ୍ଲୋରୋଭାଇରସ ଖାଇବା ପରେ ହାଲ୍ଟେରିଆ ନିଜ ଶରୀରକୁ ଖଣ୍ଡ ଖଣ୍ଡ କରି ନୂଆ ହାଲ୍ଟେରିଆ ତିଆରି କରିଥାଏ। ଯେଉଁମାନେ ପୁଣି କ୍ଲୋରୋଭାଇରସ ଖାଇ ଏହି ପ୍ରକ୍ରିୟାକୁ ଦୋହରାଇଥାନ୍ତି। ଆଉ ଏହି ପ୍ରକ୍ରିୟା ଦ୍ରୁତ ଭାବରେ ହୋଇଥାଏ।
ଗବେଷକ ଜନ୍ ଡି ଲାଙ୍ଗ୍ କହିଛନ୍ତି ଯେ ଅନେକ ଜୀବ ଭାଇରସ ଖାଇଥାନ୍ତି। ବଡ଼ ପ୍ରଶ୍ନ ହେଉଛି ଭାଇରସ କେବଳ କ୍ଷତି ପହଞ୍ଚାଇନଥାନ୍ତି। ଯଦି ଖାଦ୍ୟ ଭାବରେ ଦେଖାଯାଏ ତେବେ ଭାଇରସ ମଧ୍ୟରେ ଆମିନୋ ଏସିଡ୍, ନ୍ୟୁକ୍ଲିକ୍ ଏସିଡ୍, ଲିପିଡ୍ସ, ନାଇଟ୍ରୋଜେନ୍ ଏବଂ ଫସ୍ଫରସ୍ ମାତ୍ରା ଖୁବ୍ ଅଧିକ ହୋଇଥାଏ। ଅର୍ଥାତ୍ ଭାଇରସ ଏଭଳି ଜୀବଙ୍କ ପାଇଁ ଏକ ସଂପୂର୍ଣ୍ଣ ଭୋଜନ ହୋଇଥାଏ। ଜନ୍ କହିଛନ୍ତି ଯେ ଏହା ଏକ ବଡ଼ ଖୋଜ୍। ଏହା ଉପରେ ରିସର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଏହି ଷ୍ଟଡି ନିକଟରେ PNAS ରେ ପ୍ରକାଶିତ ହୋଇଛି।