ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା, ଖୁବ୍ ଶୀଘ୍ର ଗିରଫ ହେବେ ଓରେଭା କମ୍ପାନୀ ମାଲିକ, ଲୁକଆଉଟ୍ ସର୍କୁଲାର ଜାରି

Published By : Prameya-News7 Bureau | January 22, 2023 IST

ଅହମ୍ମଦାବାଦ ୨୨।୧: ଗତବର୍ଷ ମୋରବିରେ ହେଇଥିବା ଝୁଲାପୋଲ ଦୁର୍ଘଟଣା ମାମଲାରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ନେଇଥିବା ଓରେଭା କମ୍ପାନୀର ମାଲି ଜୟସୁଖ ପଟେଲ ଗିରଫ ହେବେ, ଏଥି ଲାଗି ୱାରେଣ୍ଟ ଜାରି ହୋଇଛି। ମାମଲାରେ ପୋଲିସ ପ୍ରସ୍ତୁତ କରିଥିବା ଚାର୍ଜସିଟ୍‌ରେ ଜୟସୁଖ ପଟେଲଙ୍କୁ ଅଭିଯୁକ୍ତ କରିଛି। ତେବେ ପୋଲିସ ଚାର୍ଜସିଟ୍‌ ଏପର୍ଯ୍ୟନ୍ତ କୋର୍ଟରେ ଦାଖଲ ହୋଇ ନଥିଲେ ମଧ୍ୟ କୋର୍ଟରୁ ଜାରି ୱାରେଣ୍ଟ ଅନୁସାରେ ପୋଲିସ୍ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଦେଇଛି।

ପୋଲିସର ସର୍କୁଲାର ଜାରି ହେବା ପରେ ଜୟସୁଖ ପଟେଲ ଖୁବଶୀଘ୍ର ଗିରଫ ହେବେ ବୋଲି ଆଶା କରାଯାଉଛି। ସେପଟେ ପଟେଲ ୨ ଦିନ ପୂର୍ବରୁ ଅଗ୍ରୀମ ଜାମିନ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମିତ ହ୍ୟାଙ୍ଗିଙ୍ଗ ବ୍ରିଜ୍‌ ଗତବର୍ଷ ଭାଙ୍ଗିପଡିଥିଲା। ଦୁର୍ଘଟଣା କାଳରେ ପୋଲ ଉପରେ ୩୦୦ରୁ ୪୦୦ ଲୋକେ ଥିଲେ। ସବୁ ଲୋକ ନଦୀକୁ ଖସି ପଡିଥିଲେ। ଫଳରେ ନଦୀରେ ବୁଡି ୧୩୫ଜଣଙ୍କ ମୃତ୍ୟୁ ହୋଇଥିଲା।

{"id":736355,"sizeSlug":"full","linkDestination":"none"}

ତେବେ ଏହି ପୋଲ ଦୁର୍ଘଟଣାରେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା, ତାହା ହେଉଛି ଏହି ପୋଲଟିକୁ ଦୀର୍ଘ ୭ ମାସ ଧରି ମରାମତି ପରେ ଦୁର୍ଘଟଣାର ୫ ଦିନ ପୂର୍ବରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ଯାଇଥିଲା। ତେବେ ଲୋକଙ୍କ ଲାଗି ପୋଲକୁ ଖୋଲାଯିବା ପୂର୍ବରୁ ଫିଟ୍‌ନେସ୍ ସାର୍ଟିଫିକେଟ୍‌ ନିଆଯାଇ ନଥିଲା। ଏହି ପୋଲର ରକ୍ଷଣାବେକ୍ଷଣା ଅଧିକାର ଓରେଭା କମ୍ପାନୀ ନିକଟରେ ଥିଲା। ଏଣୁ ଦୁର୍ଘଟଣା ପରେ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି।

ଏହି ମାମଲାରେ ଗୁଜରାଟ ହାଇକୋର୍ଟ ଲଗାତାର ଶୁଣାଣି ଜାରି ରଖିଛନ୍ତି। ଗତ ଶୁଣାଣିରେ ପୋଲ ଛିଣ୍ଡିପଡିବା ଯୋଗୁ ପ୍ରଭାବିତ ଲୋକଙ୍କ ପରିବାରଙ୍କୁ ଉଚ୍ଚିତ କ୍ଷତିପୂରଣ ପ୍ରଦାନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହି ଦୁର୍ଘଟଣାରେ ଆହତ ଲୋକଙ୍କ ଲାଗି ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ମଧ୍ୟ କମ୍‌ ବୋଲି କହିଥିଲେ। ପୋଲ ଦୁର୍ଘଟଣା ମାମଲାର ତଦନ୍ତ ଲାଗି ଅନେକ କମିଟି ଗଠିତ ହୋଇଛି। ଏଥିରେ ଅନେକ ଲୋକଙ୍କ ଉପରେ ଅଭିଯୋଗ ମଧ୍ୟ ହୋଇଛି। ତେବେ ଗୁଜରାଟ ହାଇକୋର୍ଟ ନିଜ ଆଡୁ ଘଟଣାର ସଂଜ୍ଞାନ ନେଇ କମ୍ପାନୀ ମାଲିକ ଜୟସୁଖ ପଟେଲଙ୍କୁ ନୋଟିସ୍ ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.