ଜ୍ଞାନବ୍ୟାପି ସର୍ଭେର ରାୟ ଦେବାକୁ ଥିବା ଜଜ୍ ଓ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 24, 2022 IST

ବରେଲି ୨୪।୧୧: ଉତ୍ତରପ୍ରଦେଶ ଜ୍ଞାନବ୍ୟାପି ମସଜିଦ୍ ମାମଲାରେ ସର୍ଭେର ଆଦେଶ ଦେଇଥିବା ଜଜ୍ ଜଷ୍ଟିସ୍ ରବି କୁମାର ଦିବାକରଙ୍କ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ରବି କୁମାର ଜ୍ଞାନବ୍ୟାପି ସର୍ଭେ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଲହାବାଦ ହାଇକୋର୍ଟ ରବିକୁମାର ଦିବାକର ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ରବି କୁମାର ଦିବାକର ଏବେ ବରେଲିରେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବରେଲି ପୋଲିସ ଏବେ ତାଙ୍କୁ ସୁରକ୍ଷା ଯୋଗାଇ ଦେବ। ଉଲ୍ଲେଖଯେଗ୍ୟ ଯେ ଏହା ପୂର୍ବରୁ ଗତ ଜୁନ ମାସରେ ଜଷ୍ଟିସ୍ ରବି କୁମାର ଦିବାକରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ଜଷ୍ଟିସ୍‌ଙ୍କୁ ମିଳିଥିବା ଧମକ ପରେ ପୋଲିସ ସତର୍କ ହୋଇଯାଇଥିଲା।

ଏହା ପରଠାରୁ ସିଭିଲ ଜଜ୍ ରବି କୁମାର ଦିବାକରଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା। ଜଷ୍ଟିସ ରବି କୁମାର ଓ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନିମନ୍ତେ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୦୨୧ରେ ୫ ଜଣ ମହିଳା ଶୃଙ୍ଗାର ଗୌରୀ ପୂଜା ଓ ବିଗ୍ରହମାନଙ୍କର ସୁରକ୍ଷାକୁ ନେଇ ପିଟିସନ ଦାଖଲ କରିଥିଲେ। ଏହା ଉପରେ ସିଭିଲ ଜଜ୍ ସିନିୟର ଡିଭିଜନ ରବି କୁମାର ଦିବାକର କୋର୍ଟ କମିସନର ନିଯୁକ୍ତ କରି ଜ୍ଞାନ ବ୍ୟାପୀର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସର୍ଭେ କାଳରେ ମିଳିଥିବା ସାମଗ୍ରୀକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି ଦାବି କରିଥିବା ବେଳେ ମୁସଲମାନ ପକ୍ଷ ଏହାକୁ ଫୁଆରା ବୋଲି କହିଥିଲେ। ଏହା ପରେ ହିନ୍ଦୁ ପକ୍ଷ ବିବାଦୀୟ ସ୍ଥଳକୁ ସିଲକରିବାକୁ ଦାବି କରିଥିଲେ । ସେହି  ଅନୁସାରେ ସେସନ କୋର୍ଟ ସିଲ କରିଦେଇଥିବା ବେଳେ ମୁସଲମାନ ପକ୍ଷ ସୁପ୍ରିମ କୋର୍ଟକୁ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.