ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ ବୋଲି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଲଘୁଚା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଅନ୍ୟ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରର ଉତ୍ତରପୂର୍ବାଞ୍ଚଳ ଓ ଏହାର ଆଖାପାଖ ଏରିଆରେ ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥିର ରହିଛି। ଏହା ଦକ୍ଷିଣ ଆଡ଼କୁ ମୁହାଁଇଁ ସମୁଦ୍ର ପତ୍ତନରୁ ୭.୬ କିମି ଉପରେ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକ ଓ ମଧ୍ୟମ ଧରଣର ବର୍ଷା ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ବାଲାଶ୍ୱର, ଅନୁଗୁଳ, ଯାଜପୁର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି।
କଟକ ବାଙ୍କିରେ ସର୍ବାଧିକ ୧୩୫.୦ ମିଲିମିଟର ବର୍ଷା ହୋଇଥିବା ବେଳେ ଢେଙ୍ଖାନାଳ ଗୋଣ୍ଡିଆରେ ୮୪.୪, ବାଲେଶ୍ୱର ଭୋଗରାଇ ୮୨.୦ ଓ ଭୁବନେଶ୍ୱରରେ ୮.୬ ମିଲିମିଟର ବର୍ଷା ହୋଇଛି। ବର୍ଷା ଭିତରେ ଜଗତସିଂହପୁରରେ ସର୍ବାଧିକ ସର୍ବାଧିକ ତାପମାତ୍ରା ୩୫.୮୦ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୧.୦୦ସେଲ୍ସିୟସ ରେକର୍ଡ କରାଯାଇଛି।