୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଲଘୁଚାପ : ୪୮ଘଣ୍ଟା ଅତି ପ୍ରବଳ ବର୍ଷା ସମ୍ଭାବନା, ୬ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

Published By : Prameya-News7 Bureau | October 22, 2020 IST

ଭୁବନେଶ୍ବର ୨୨।୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସର ଏବେ ଅବପାତରେ ପରିଣତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେଇପାରେ । ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିପାରେ । ରାଜ୍ୟର ୧୬ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଦେଇଛି । ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୋଳ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  

ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ଅନ୍ୟ ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲା ।

ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଗତକାଲି ଅପରାହ୍ନ ସମୟରୁ ଆରମ୍ଭ ହୋଇଥିବା ବେଳେ ଆଜି ଏବଂ ଆସନ୍ତାକାଲି ପ୍ରବଳ ହୋଇପାରେ । ତେଣୁ ତଳିଆ ଅଞ୍ଚଳରେ ବସବାସ କରୁଥିଲେ ସତର୍କ ରୁହନ୍ତୁ ବୋଲି ସୂଚନା ଦିଆଯାଇଛି । ସେପଟେ ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟରରୁ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.