ରାଷ୍ଟ୍ରପତି ନିର୍ବାଚନ: ଜୋରସୋରରେ ଲାଗିଛି ବିରୋଧୀ, ନିରବ ରହି ନଜର ରଖିଛି ବିଜେପି, ମୌକା ଦେଖି ଚୌକା ମାରିବ

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପକ୍ଷରୁ ସେତେଟା ହଲ୍‌ଚଲ୍‌ ଦେଖାଯାଉ ନାହିଁ। ହେଲେ ବିରୋଧୀ ପ୍ରାର୍ଥୀ ଦେବା ପାଇଁ ଫୁଲ ଦମ୍‌ରେ ଲାଗିପଡ଼ିଛି। ବିଜେପି ପକ୍ଷରୁ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍, ତେଲେଙ୍ଗାନା ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ଓ ଝାରଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଛି। ଏମାନଙ୍କ ମଧ୍ୟରୁ ଆରିଫ୍ ମହମ୍ମଦ ଖାନଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି।

ଅନ୍ୟପଟେ ବିରୋଧୀ ଦଳ ଏକାଠୀ ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଖୋଜିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରାର୍ଥୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବିରୋଧୀ। ହେଲେ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ନ ହୋଇ ସକ୍ରିୟ ରାଜନୀତିରେ ରହିବେ ବୋଲି କହିଲେ। ଏହାପରେ ବିରୋଧୀ ଦଳର ନେତୃତ୍ୱ ନେଉଥିବା ମମତା ବାନାର୍ଜୀ ଆଉ ଦୁଇ ନେତାଙ୍କ ସପକ୍ଷରେ ମତ ରଖିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ନାତୀ ତଥା ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳ ଦେବଦାସ ଗାନ୍ଧୀ ଓ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ଉପରେ ବିଚାର ବିମର୍ଶ ଚାଲିଛି।

ଏପଟେ ଦେଶରେ ବିଜେପିର ମୁସଲମାନ ବିରୋଧୀ ହାୱା ବହୁଥିବାରୁ ଆରିଫ୍ ମହମ୍ମଦ ଖାନ୍‌ ପ୍ରାର୍ଥୀ କରି ଦଳ ମୌକାରେ ଚୌକା ମାରିପାରେ ବୋଲି ଚର୍ଚ୍ଚା ହେଉଛି।

ଏପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଭରିବାର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଜଣେ ପ୍ରାର୍ଥୀଙ୍କ ପତ୍ର ଖାରଜ ହୋଇ ଯାଇଛି। ନାମାଙ୍କନ ଦାଖଲକାରୀଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ନାମ ମଧ୍ୟ ସାମିଲ୍। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଅଧିସୂଚନା ଜାରି କରାଯାଇଛି। ଏଥିସହ ଦେଶରେ ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ ୨୯ ଯାଏଁ ରହିଛି।

ଦେଶର ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବ। ଏଥିରେ ୪୮୦୯ ଜଣ ମତଦାନ କରିବେ। ଆବଶ୍ୟକ ପଡିଲେ ଜୁଲାଇ ୨୧ରେ ଭୋଟ୍ ଗଣତି କରାଯିବ। ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଜୁନ ୨୯ ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ଜୁନ ୩୦ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ଏବ ଜୁଲାଇ ୨ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ।

ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରିବାକୁ ଯାଉଛି। ନୂତନ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏମିତିରେ ନୂତନ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୨୪ ସୁଦ୍ଧା ସାରିବାକୁ ପଡିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.