ରୁଚିକା ଆତ୍ମହତ୍ୟା ନେଇ ଗୃହରେ ନାରାବାଜି : ବିରୋଧୀ କହିଲେ- ଆଲୋଚନା ପାଇଁ ଶୁଣିଲେନି ବାଚସ୍ପତି, ବିଜେଡି କହିଲା- ଆଇନ ତା ବାଟରେ ଯିବ

Published By : Prameya-News7 Bureau | July 04, 2022 IST

ଭୁବନେଶ୍ବର ୪।୭: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବିଧାନସଭା ଗୃହରେ ନାରାବାଜି କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, କଲେଜରେ ରାଗିଂ ଓ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସାରା ଦେଶରେ ୩ ନମ୍ବର । ଏହା ଅତି ସମ୍ବେଦନଶୀଳ ଘଟଣା ଏହା ଉପରେ ଆଲୋଚନା ଲାଗି ଆମେ ଆଗ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲୁ । ହେଲେ ସେ ଶୁଣିଲେନି । ଯଦି ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ଅଛି ତାହେଲେ ଆଲୋଚନା କରନ୍ତୁ ।

କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ କହିଛନ୍ତି, ରୁଚିକା ମହାନ୍ତି ଆତ୍ମହତ୍ୟା କେବଳ ବିଜେବି କଲେଜ ଘଟଣା ନୁହେଁ, ସାରା ରାଜ୍ୟରେ ଏମିତି ଘଟଣା ଘଟୁଛି । ଏହା ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପ୍ରଶ୍ନକାଳ ବାତିଲ କରି ଏହା ଉପରେ ସ୍ବତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା କରିବାକୁ ଆମେ ଦାବି କରିଥିଲୁ । ହେଲେ ବାଚସ୍ପତି ନ ଶୁଣିବାରୁ ଆମେ ବାଧ୍ୟ ହୋଇ ନାରାବାଜି କରିଥିଲୁ ।

ସେପଟେ ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଗୃହରେ ଅନେକ ସମୟ ରହିଥିଲା । ବିରୋଧୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ।  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଥିଲା କିନ୍ତୁ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳ ଚଲାଇ ଦେଲେନାହିଁ ।  ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା କରନ୍ତି ନାହିଁ । ଆଇନ ତା ବାଟରେ ଯାଏ । ଏଠି ମଧ୍ୟ ଆଇନ ତା ବାଟରେ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.