ପ୍ରଧାନମନ୍ତ୍ରୀଙ୍କ ଦେଖା ନାହିଁ; ମଣିପୁର ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ବିରୋଧି ମେଣ୍ଟ ଇଣ୍ଡିଆର ପ୍ରତିନିଧି ଦଳ

Published By : Prameya-News7 Bureau | July 27, 2023 IST

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ। ଗତ ସପ୍ତାହେ ଧରି ସଂସଦରେ ଉତ୍ତେଜନା ଲାଗି ରହିଛି। ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁର ହିଂସା ଉପରେ ନିଜର ମତ ରଖନ୍ତୁ ବୋଲି ବିରୋଧୀ ବାରମ୍ବାର ଦାବି କରୁଛି। ହେଲେ ଫଳ ଶୂନ। ନା ପ୍ରଧାନ ମନ୍ତ୍ରୀ ଆସୁଛନ୍ତି ନା କିଛି କହୁଛନ୍ତି।

ଏବେ ବିରୋଧୀ ଦଳ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ସଂଗଠନ 'ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ' (INDIA)ର ପ୍ରତିନିଧୀ ଦଳ ବର୍ତ୍ତମାନ ମଣିପୁର ଗସ୍ତ କରିବେ। ଜୁଲାଇ ୨୯ ଓ ୩୦ ତାରିଖରେ ଏହି ପ୍ରତିନିଧି ଦଳ ହିଂସା ପ୍ରଭାବିତ ମଣିପୁର ପରିଦର୍ଶନ କରିବେ ବୋଲି କୁହାଯାଉଛି।

ପଢ଼ନ୍ତୁ-ନିୟମ ୨୬୭ ବନାମ ୧୭୬; ମଣିପୁର ହିଂସାକୁ ନେଇ କାହିଁକ ଅଚଳ ସଂସଦ ?

ଲୋକସଭାରେ କଂଗ୍ରେସ ସଚେତକ ମାଣିକମ୍ ଟାଗୋର କହିଛନ୍ତି ଯେ ବିରୋଧୀ ଦଳର ୨୦ ରୁ ଅଧିକ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଚଳିତ ସପ୍ତାହ ଶେଷରେ ମଣିପୁର ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବେ। ନିକଟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିଥିଲେ। ଏହି ସମୟରେ ସେ ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଭେଟିଥିଲେ।

ତେବେ ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ଅନେକ ବିବାଦ ଲାଗି ରହିଥିଲା। ସୁରକ୍ଷା ଆଳ ଦେଖାଇ ମଣିପୁର ସରକାର ତାଙ୍କୁ ଯିବାକୁ ଦେଇନଥିଲେ। ସରକାରଙ୍କ ନିର୍ଦ୍ଦେଶରେ ସେନା ତାଙ୍କ ପଥ ଓଗାଳିଥିଲା। ଏହା ସତ୍ତ୍ୱେ ବି ହେଲିକପ୍ଟର ମାର୍ଗରେ ଉଡ଼ାଣ ଭରି ଲୋକଙ୍କ ପାଖରେ ପହଞ୍ଚିଥିଲେ ରାହୁଲ।  ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ।

ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଦାବି କରି ଗୃହରେ ହୋହଲ୍ଲା କରୁଛନ୍ତି ବିରୋଧୀ। ହେଲେ ପ୍ରଧାନମନ୍ତ୍ରୀଙ୍କ ଦେଖା ନାହିଁ। ଏଥିପାଇଁ ୨୭ ଜୁଲାଇ ଗୁରୁବାର ଦିନ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦମାନେ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ସମସ୍ତ ବିରୋଧୀ ସାଂସଦ କେବଳ କଳା ପୋଷାକ ପିନ୍ଧି ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ସମସ୍ତେ ସ୍ଲୋଗାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.