ଇବ ଥର୍ମାଲରୁ ଆଶ୍‌ ନିଷ୍କାସିତ ସଫଳ, ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା

Published By : Prameya-News7 Bureau | May 12, 2021 IST

ଝାରସୁଗୁଡ଼ା, ୧୨/୦୫: ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ଆଜି ଆସାମର ଷ୍ଟାର୍ ସିମେଣ୍ଟ ପ୍ଲାଣ୍ଟକୁ ପାଉଁଶ ପଠାଇବା ଆରମ୍ଭ କରିଛି । ଯାହାକି ପିପିସି (ପୋର୍ଟଲ୍ୟାଣ୍ଡ) ପାଜୋଲାନା ସିମେଣ୍ଟ ତିଆରିରେ ବ୍ୟବହାର କରାଯିବ । ଓପିଜିସିର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଆସାମ ସ୍ଥିତ ଉକ୍ତ ସିମେଣ୍ଟ କାରଖାନାକୁ ଆଜି ରେଳ ଯୋଗେ ପ୍ରାୟ ୪ହାଜର ମେଟ୍ରିକ୍‌ ଟନ୍‌ ଫ୍ଲାଏ ପାଉଁଶ ପଠାଯାଇଥିଲା ।

ପିପିସି ସିମେଣ୍ଟ ହେଉଛି ମିଶ୍ରିତ ସିମେଣ୍ଟର ଏକ ପ୍ରକାର ସିମେଣ୍ଟ୍‌ । ଯାହା ଶସ୍ତା ଓ ବାନ୍ଧି ହେବାକୁ କମ୍ ଜଳ ଆବଶ୍ୟକ କରେ । ଏଣୁ ବଜାରରେ ଏହାର ଚାହିଦା ଅଧିକ  । ଫ୍ଲାଏ ଆଶ ହେଉଛି ପିପିସି ସିମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହା ଓଜନ ଅନୁଯାୟୀ ସିମେଣ୍ଟର ପ୍ରାୟ ୨୫ ପ୍ରତିଶତ ଥାଏ । ଏହା ଛଡା, ଅନ୍ୟାନ୍ୟ ସିମେଣ୍ଟ ଜାତୀୟ ପଦାର୍ଥ ଅପେକ୍ଷା ଫ୍ଲାଏ ଆଶକୁ କଂକ୍ରିଟରେ ଏକ ବାଇଣ୍ଡର ଭାବରେ ଉପଯୋଗ କରିବା ଦ୍ୱାରା ପରିବେଶ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକା ଯାଇପାରିବ ।

ଓପିଜିସି ପାଖରେ ଫ୍ଲାଏ ଆଶକୁ ସିଧାସଳଖ ରେଲୱେ ରେକ୍‌ରେ ଲୋଡ କରିବାର ଅତ୍ୟାଧୁନିକ ଯାନ୍ତ୍ରିକ ସୁବିଧା ରହିଛି । ଯାହା ବହୁତ କମ କାରଖାନାରେ ଉପଲବ୍ଧ ।  ଓପିଜିସିର ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ଦୈନିକ ୨୩ ଶହ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ତିନୋଟି ଶୁଖିଲା ଫ୍ଲାଏ ଆଶ ସାଇଲୋ ଅଛି । ଆଜିର ଏହି ଐତିହାସିକ ଘଟଣା ସହିତ, ଓପିଜିସି ମାସକୁ ପ୍ରାୟ ୯୦ ହଜାର ମେଟ୍ରିକ୍ ଟନ୍ ପାଉଁଶ ନିଷ୍କାସନ କରିବାର କ୍ଷମତା ହାସଲ କରିଛି । ଯାହା ଆସନ୍ତା ମାସ ମାନଙ୍କରେ ଆହୁରି ବୃଦ୍ଧି କରାଯାଇପାରିବ । ସୂଚନାଯୋଗ୍ୟ ଯେ ଏହି ପଦକ୍ଷେପ ଦ୍ୱାରା ଓପିଜିସିର ପାଉଁଶ ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.