ଅପରେସନ୍ ଟ୍ରେନ୍ ମିଲ୍ସ : ୫୦ ଟଙ୍କା ନିରାମିଷ ଥାଳି ପାଇଁ ନେଉଛନ୍ତି ୧୦୦ ଟଙ୍କା, ଦିନକୁ ୨୦ରୁ ୩୦ କୋଟି ଠକେଇ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ୱର ୬/୧୧ : ସମସ୍ତେ ଟ୍ରେନରେ ଲମ୍ବା ଯାତ୍ରା କରିଥିବେ । କିନ୍ତୁ କେବେ ଭାବିଛନ୍ତି ଆପଣ କେମିତି ଠକି ଦେଉଛନ୍ତି । ଟ୍ରେନରେ ଭିତରେ ଖାଉଥିବା ଖାଦ୍ୟ ପାଇଁ ଆପଣ ଯେ ଦିଗୁଣା ମୂଲ୍ୟ ଦେଉଛନ୍ତି, ତାହା କେବେ ଭାବିଛନ୍ତି । ଆପଣଙ୍କ ପକେଟରୁ ଶହେ ଟଙ୍କା ଅଧିକ ଯାଉଥାଇପାରେ ହେଲେ ସେପଟେ କୋଟି କୋଟି ଟଙ୍କାର ଠକେଇ କରି ହାତ ଚିକ୍କଣ କରୁଛନ୍ତି କ୍ୟାଟରିଂ କମ୍ପାନୀ । ନ୍ୟୁଜ7 ର ଅପରେସନ୍ ଟ୍ରେନ୍ ମିଲ୍ସ ରେ ଚୋରି ଧରା ପଡିଛି । ଥରେ ଟ୍ରେନରେ ଚଢିଗଲେ ଲକ୍ଷ୍ୟ ଥାଏ କେମିତି ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଲମ୍ବା ଯାତ୍ରା ସମୟରେ ଟ୍ରେନ୍ ଭିତରେ ନିଜ ସିଟ୍ରେ ବସି ଆରାମରେ ବସି, ଖାଇ, ଯାତ୍ରା କରିବା କଥା ସମସ୍ତେ ଚିନ୍ତା କରୁଥାନ୍ତି । କିନ୍ତୁ ଏଥିପାଇଁ ଯେ ଆପଣ ଚଢା ଦର ଦେଉଛନ୍ତି ସେକଥା ଭାବିଛନ୍ତି । ଘଟଣାର ସତ୍ୟା ସତ୍ୟ ଜାଣିବାପାଇଁ ଆମେ ବାଲେଶ୍ବର ରେଳଷ୍ଟେସନରୁ ଫଲକ ନାମା ଏକ୍ସପ୍ରେସରେ ଚଢିଥିଲୁ ସକାଳ ସାଢେ ୧୦ଟାରେ । ପ୍ରଥମେ ପେଣ୍ଟ୍ରି କୋଚ୍ କୁ ଯାଇଥିଲୁ । ପରଖିଥିଲୁ କେମିତି ଚାଲିଛି ପ୍ୟାକିଂ । ଦେଖିବାକୁ ପାଇଥିଲୁ, ଯେଉଁ ପ୍ଲାଷ୍ଟିକ ଟ୍ରେରେ ଖାଦ୍ୟ ପ୍ୟାକ ହେଉଛି, ସେସବୁ ରଖା ଯାଇଛି ଅପରିଷ୍କାର ଜାଗାରେ । ପୁଣି ରୋଷେଇଘର ବି ଅସନା ହୋଇ ପଡିଛି । ଏଣେ ରନ୍ଧା ଖାଦ୍ୟ ସବୁ ଢ଼ଙ୍କା ଯାଇନି । ଏଠି ରେଟ୍ ଚାଟ୍ ବି ଲଗା ଯାଇଛି । ଦିନ ସାଢେ ୧୨ଟାରେ ଯାତ୍ରୀଙ୍କୁ ଖାଦ୍ୟ ଦିଆ ଯାଇଥିଲା । କିନ୍ତୁ ଚଢା ଦାମରେ । IRCTC ନିୟମ ଅନୁସାରେ ଏକ୍ସପ୍ରେସ ଓ ମେଲ ଟ୍ରେନରେ ନିରାମିଷ ଥାଳିର ମୂଲ୍ୟ ୫୦ ଟଙ୍କା ଓ ଆମିଷ ପାଇଁ ୫୫ ଟଙ୍କା ରହିଛି । ଏଥିରେ ୧୫୦ ଗ୍ରାମ ଭଲ ଚାଉଳର ଭାତ ବା ଜିରାରାଇସ୍, ୨ଟି ପରଟା , ୪ଟି ଚପାତି ବା ୫ଟି ପୁରି, ୧୦୦ଗ୍ରାମର ଗୋଟାଏ ତରକାରୀ,୧୫୦ଗ୍ରାମ ଡାଲି, ଆଚାର, ୧୦୦ ଗ୍ରାମର ଦହି ବା ୪୦ ଗ୍ରାମର ମିଠା ଓ ଗୋଟାଏ ୨୫୦ ମିଲିଲିଟର ପାଣି ଗ୍ଲାସ ରହିବ ବୋଲି ସ୍ପଷ୍ଟ ଲେଖା ଯାଇଛି । ସେହିଭଳି ଆମିଷ ଥାଳିରେ ତରକାରୀ ବଦଳରେ ୨ଟି ଅଣ୍ଡାର ତରକାରୀ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ସବୁଠୁ ବଡ କଥା, ନିରାମିଷ ଥାଳି ପାଇଁ ୯୦ ରୁ ୧୦୦ଟଙ୍କା ନିଆଯାଉଥିବା ବେଳେ ଆମିଷ ଥାଳି ଲାଗି ନିଆଯାଉଛି ୧୨୦ ରୁ ୧୪୦ଟଙ୍କା। ସବୁ ଖାଦ୍ୟର ମୂଲ୍ୟ ବେଶ ଅଧିକ ଦେବାକୁ ପଡ଼ୁଛି। କିନ୍ତୁ ପେଣ୍ଟ୍ରି କାର ମ୍ୟାନେଜର ଏସବୁ ମାନିବାକୁ ନାରାଜ । ଆମ ଭିତରୁ କେତେଜଣ ଟ୍ରେନରେ ମିଳୁଥିବା ଖାଇବା ଦର ସଂପର୍କରେ ଜାଣନ୍ତି । ଅତିବେଶୀରେ ୩୦ ଘଣ୍ଟାର ଯାତ୍ରା ଭିତରେ ଏସବୁ କଥା ଭାବିବାକୁ କାହାର ବା ଫୁରସତ ଅଛି । ଆମେ ଖାଇସାରି କେବେ ବିଲ୍ ମାଗେନି କି ଟଙ୍କା ବଢାଇ ଦେବା ବେଳେ ସନ୍ଦେହ ବି କରେନି । ଏହାର ସୁଯୋଗ ନେଇ ଲୁଚି ଚାଲିଛନ୍ତି କ୍ୟାଟରିଂ କର୍ମଚାରୀ । IRCTC ଠାରୁ କ୍ୟାଟରିଂ ଟେଣ୍ଡର ନେଇଥିବା କମ୍ପାନୀ କର୍ମଚାରୀ ଆଖିରେ ଧୂଳି ଦେଇ ଠକି ଚାଲିଛନ୍ତି । ରେଲୱେ କର୍ତ୍ତୃପକ୍ଷଙ୍କ ନାକତଳେ ଏମିତି କାରବାର ଚାଲିଛି । ମିଲ୍ ରେଟ୍ ଚାଟ୍ କେବଳ ଧର୍ମକୁ ଆଖିଠାର । ପୁଣି ଯାତ୍ରୀ ମାନଙ୍କୁ ବିଲ୍ ମଧ୍ୟ ଦିଆଯାଉନି ଭାରତୀୟ ରେଲୱେ ଅଧୀନରେ ପ୍ରତିଦିନ ୨ହଜାରରୁ ଅଧିକ ଟ୍ରେନରେ କ୍ୟାଟରିଂ ବ୍ୟବସ୍ଥା ଚାଲୁଛି। ହିସାବ କଲେ, ଗୋଟିଏ ଦିନରେ ୨୦ ରୁ ୩୦ କୋଟି ଠକେଇ ହେଉଛି । ପ୍ରଶ୍ନ ଉଠୁଛି ଏହି ଠକେଇ ନେଇ ରେଲୱେ ବିଭାଗ ଅଧିକାରୀ ଜାଣି ନାହାନ୍ତି କି ? ରେଳବିଭାଗ କର୍ମଚାରୀ ଏବଂ କ୍ୟାଟରିଂ କମ୍ପାନୀ ଭିତରେ ସଲାସୁତୁରା ଅଛି କି ? ସୁରକ୍ଷିତ ଏବଂ ଆରାମଦାୟକ ଟ୍ରେନ୍ ଯାତ୍ରା କାହାର ଦାୟିତ୍ବ ? କ୍ୟାଟରିଂ କମ୍ପାନୀକୁ ଟେଣ୍ଡର ଦେଇ ଦେବା ପରେ ତଦାରଖ କରିବା ଦାୟିତ୍ବ ରେଳବିଭାଗର ନୁହେଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.