ଅପରେସନ ଲୋଟସ: ଲାଞ୍ଚ ଦେଇ ୧୦ ପଞ୍ଜାବ ବିଧାୟକଙ୍କୁ କିଣିବା ଅଭିଯୋଗରେ ବିଜେପି ବିରୋଧରେ ମାମଲା ରୁଜୁ କଲା ଆପ୍
14/09/2022 at 7:19 PM

ଚଣ୍ଡିଗଡ଼: ଦିଲ୍ଲୀ ପରେ ପଞ୍ଜାବ। ରାଜ୍ୟରେ ବିଜେପି ଅପରେସନ ଲୋଟସ ଜାରି ରଖିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି। ଏନେଇ ଦଳ ପକ୍ଷରୁ ବିଜେପି ବିରୋଧରେ ଅଭିଯୋଗ ହୋଇଛି। ପଞ୍ଜାବରେ ବିଜେପି ଟଙ୍କା ଦେଇ ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ପଞ୍ଜାବ ଡିଜିପି ଗୌରଭ ଯାଦବଙ୍କ ନିକଟରେ ଫେରାଦ ହୋଇଛି ଦଳ।
ଏହା ପୂର୍ବରୁ ରାଜ୍ୟରେ ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି। ପ୍ରତ୍ୟେକ ବିଧାୟକଙ୍କୁ ୨୫ କୋଟି ଲେଖାଏ ଟଙ୍କା ଲାଞ୍ଚ ଦିଆଯାଉଛି ହୋଲି ଆପ ଅଭିଯୋଗ କରିଥିଲା। ୧୦ ବିଧାୟକଙ୍କୁ ଟଙ୍କା ଲାଞ୍ଚ ଯଚାଯାଇଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ କହିଥିଲେ।
ହେଲେ ଏବେ ଅନେକ ନେତା ମନ୍ତ୍ରୀଙ୍କୁ ଲାଞ୍ଚ ଯାଚି ଓ ଧମକ ଦେଇ ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଆପ୍ ନେତା ଡିଜିପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା। ବିଜେପି ବିଭିନ୍ନ ରାଜ୍ୟରେ କେନ୍ଦ୍ର ଏଜେନ୍ସି ବ୍ୟବହାର କରି ଓ ବିଧାୟକଙ୍କୁ କିଣି ଗଣତନ୍ତ୍ରର ହତ୍ୟା କରୁଛି ବୋଲି ଚୀମା କହିଛନ୍ତି।
ପଞ୍ଜାବରେ ମଧ୍ୟ ବିଜେପି ଏମିତି କରିବାକୁ ଚେଷ୍ଟା କରିଥିଲା। ହେଲେ ଆପ୍ର ବାହାଦୁର ଯୋଦ୍ଧାମାନେ ବିଜେପିର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛନ୍ତି। ଏହିସବୁର ପ୍ରମାଣ ପଞ୍ଜାବ ପୁଲିସ ମୁଖ୍ୟଙ୍କୁ ଦିଆଯାଇଛି ଓ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି ବୋଲି ଚୀମା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଆରେ ବିଜେପିର ଅପରେସନ ଲୋଟସରେ ଆଜି ୮ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଅଣବିଜେପି ରାଜ୍ୟଗୁଡ଼ିରେ ବିଧାୟକ କିଣି ଓ କେନ୍ଦ୍ରୀ ସଂସ୍ଥା ଲଗାଇ ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଚୀମା ଅଭିଯୋଗ କରିଛନ୍ତି।
ଏହା ପୂର୍ବରୁ ଦିଲ୍ଲୀରେ ମଧ୍ୟ ବିଜେପି ବିଧାୟକ କିଣିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଥିଲା ଦଳ। ହେଲେ ସେ ଠାରେ ଅପରେସନ ଲୋଟସ କାଦୁଅରେ ପରିଣତ ହେଲା ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ୍ କହିଥିଲେ।