ନକ୍ସଲ ସଂଗଠନ ସିପିଆଇ ମାଓବାଦୀକୁ ଶେଷ କରିବାକୁ ଯୋଜନା

Published By : Prameya-News7 Bureau | June 25, 2018 IST

ଗୋଟିଏ ପଟେ ଅପରେସନ ଅଲ୍ଆଉଟ୍ । ନକ୍ସଲ ସଂଗଠନ ସିପିଆଇ ମାଓବାଦୀକୁ ଶେଷ କରିବାକୁ ପ୍ରସ୍ତୁତ ହେଉଛି ଯୋଜନା । ଆଉ ଗୋଟିଏ ପଟେ ଜବାବ ଦେବାକୁ ସକ୍ରିୟ ହେଉଛନ୍ତି ଲାଲବାହିନୀ, ସଂଗଠିତ ହେଉଛନ୍ତି ମାଓବାଦୀ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନ୍ତ କରିବାକୁ ସେନା ଚଳାଇଥିବା ଅପରେସନ୍ ଅଲଆଉଟ୍ ଢାଂଚାରେ ରଣନୀତି ପ୍ରସ୍ତୁତ ହୋଇଛି । ନକ୍ସଲ ସଂଗଠନଗୁଡିକର ପ୍ରମୂଖ କମାଣ୍ଡର ମାନଙ୍କୁ ନିପାତ କରି ସେଗୁଡିକୁ ଦୁର୍ବଳ କରିବା ମୁଖ୍ୟ ଉଦ୍ଦେଶ୍ୟ । ଜଙ୍ଗଲରେ ସକ୍ରିୟ ଥିବା ମାଓ କମାଣ୍ଡରମାନଙ୍କ ପରିବାର ସହରରେ ରହୁଛନ୍ତି । ସେମାନଙ୍କ ସମ୍ପତ୍ତି ଜବତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ କରି କମାଣ୍ଡରମାନଙ୍କୁ ମାନସିକ ଭାବେ ବିଚଳିତ କରିବାକୁ ମଧ୍ୟ ଯୋଜନା ହୋଇଛି । ଟାର୍ଗେଟରେ ସଂଗଠନର ପ୍ରମୂଖ କମାଣ୍ଡର । ରାଜ୍ୟ ଏବଂ କେନ୍ଦ୍ର ମିଶି ପ୍ରସ୍ତୁତ କରିଛନ୍ତି ତାଲିକା । ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରଣନୀତି ଚୂଡାନ୍ତ ହୋଇଛି । ସେପଟେ ଓଡିଶା ସୀମାରେ ସଂଗଠିତ ହଉଛନ୍ତି ମାଓବାଦୀ । ଚାଲିଛି ଟ୍ରେନିଂ କ୍ୟାମ୍ପ । ବର୍ଷା ଦିନ ପରେ କରିବେ ବଡ ହମଲା । ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲରେ କ୍ୟାମ୍ପ ଚାଲିଥିବା ସୂଚନା ମିଳିଛି । ଏଥିରେ ସୁକମା, ବିଜାପୁର, ବସ୍ତର, ତେଲେଙ୍ଗାନା ଏବଂ ଓଡିଶାର କ୍ୟାଡର ମାଓବାଦୀ ସାମିଲ ହୋଇଛନ୍ତି । କ୍ୟାମ୍ପରେ ଆଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଶିକ୍ଷଣ ଶିବିର ସହ କିପରି ଏନକାଉଣ୍ଟର ସ୍ଥଳରୁ ମୃତାହତମାନଙ୍କୁ ଉଠାଇ ନିଆଯିବ ସେସମ୍ପର୍କରେ ତାଲିମ ଦିଆଯାଉଛି । ରିମୋଟ କଣ୍ଟ୍ରୋଲରେ କିପରି ଆଇଇଡି ବିସ୍ଫୋରଣ କରାଯିବ ତାହା ମଧ୍ୟ ଶିଖାଯାଉଛି । ଏପଟେ ମାଓ ସଂଗଠନମାନେ ସେମାନଙ୍କ ଗତିବିଧି ବଢାଇଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି, ଓଡିଶା ଏବଂ ଛତିଶଗଡରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପୋଲିସର ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଭଳି ଅନେକ ମାଓ ଅଧ୍ୟୁଷିତ ଇଲାକାରେ ପୋଷ୍ଟର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.