ଅଭିନୟ ପୂର୍ବରୁ ସରିଗଲା ଜୀବନଯାତ୍ରା: ମେକ୍‌ଅପ୍‌ ବେଳେ ଟଳିପଡିଲେ ଯାତ୍ରା ନାୟକ, ମଞ୍ଚସ୍ଥ ହେଲା ଅଲଗା ନାଟକ

Published By : Prameya-News7 Bureau | May 15, 2023 IST

ବାଲେଶ୍ୱର ୧୫/୦୫: ଅଫେରା ରାଇଜରେ ଯାତ୍ରା ନାୟକ ଜୟନ୍ତ ମହାପାତ୍ର । ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆଉ ତାଙ୍କ ମୃତ୍ୟୁପରେ ବନ୍ଦ ହୋଇଯାଇଥିଲା ନାଟକ । କେବଳ ସାଥି କଳାକାରମାନେ ନୁହେଁ ଦର୍ଶକଙ୍କ ଆଖିରୁ ଝରୁଥିଲା ଲୁହ । ଯାଜପୁର ଜିଲ୍ଲା ପାଇକରାପୁରରେ ନାଟକ ମଂଚସ୍ଥ କରୁଥିଲା ଦରବାର ଅପେରା ।

ରବିବାର ରାତିରେ ନାଟକ ହେବାର ଥିଲା- ଫଗୁଣ ଦେଇଛି ଦୁଃଖ ଛଗୁଣ । ମେଲୋଡି ଚାଲିଥିଲା ଆଉ କଳାକାରମାନେ ନିଜକୁ ପ୍ରସ୍ତୁତ କରୁଥିଲେ । ଯାତ୍ରାମଂଚକୁ ଯିବା ପାଇଁ ହିରୋ ଜୟନ୍ତ ମହାପାତ୍ର ଆଖଡା ଘରେ ମେକଅପ୍ ନେଉଥିଲେ । ହଠାତ୍ ଅସୁସ୍ଥ ହୋଇ ପଡିଲେ , ଆଉ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦିଆଗଲା, ଜୟନ୍ତଙ୍କ ଅନୁପସ୍ଥିତି ଯୋଗୁଁ ନାଟକ ବଦଳାଇବାକୁ ପଡିଲା । ଫଗୁଣ ଦେଇଛି ଦୁଃଖ ଛଗୁଣ ବଦଳରେ ଭାଇ ସାତପର ଭାରିଜା ନିଜର ନାଟକ ମଂଚସ୍ଥ ହେଲା । ଆଉ ଦର୍ଶକ ବି ସମର୍ଥନ କଲେ ।

ମାତ୍ର ତିନିଟା ସିନ୍ ପରେ ଖବର ଆସିଲା ଜୟନ୍ତ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ସମସ୍ତେ ସ୍ତବ୍ଧ ହୋଇଗଲେ । ନାଟକ ତ ବନ୍ଦ ହୋଇଗଲା , ଟିକେଟ କାଟି ଯାତ୍ରା ଦେଖୁଥିବା ଦର୍ଶକ ଦୁଃଖରେ କାନ୍ଦି ବି ପକାଇଥିଲେ । ସବୁ କଳାକାର ଆସିଥିଲେ ଜୟନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ । ମୃତ ଜୟନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ରାଜବରହମପୁର ଅଂଚଳରେ । ଆଜି ତାଙ୍କ ମରଶରୀର ନିଜ ଗାଁକୁ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.