ଖୋଲିଲା ମାଆ ଲୋଭି ଠାକୁରାଣୀଙ୍କ ମନ୍ଦିର, ପୀଠରେ ପ୍ରଶାସନର ୧୪୪ ଧାରା ଜାରି

Published By : Prameya-News7 Bureau | November 19, 2021 IST

ଆଠଗଡ଼, ୧୯/୧୧: ସାନ୍ତାନଟିଏ ପାଇଁ ବାପା ମାଆଙ୍କର କେତେ ବ୍ରତ ଉପବାସ। ପୁଣି ତା'ର ଶୁଭ ମନାସି ଅନେକ ଯାଚନା। ସନ୍ତାନକୁ ବର୍ଷେ ପୁରିଲେ ବର୍ଷକୁ ଥରେ ମନ୍ଦିର ଖୋଲୁଥିବା ମା ଲୋଭୀ ଠାକୁରାଣୀ ଙ୍କ ପାଖରେ ତାକୁ ମୁଣ୍ଡନ କରାଇବାର ପରମ୍ପରା ନିଶ୍ଚିତ ଭାବରେ ନିଆରା। କିନ୍ତୁ ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଇଁ ଠାକୁରାଣୀଙ୍କ ପୀଠକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ସେଥିପାଇଁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ । ଅନ୍ୟପଟେ ଶିଶୁମାନେ ମୁଣ୍ଡନରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଆଠଗଡ଼ ତିଗିରିଆର ବିନ୍ଧାଣିମା  ଗ୍ରାମରେ ବିଜେ ମା ଲୋଭୀ ଠାକୁରାଣୀଙ୍କ ପାଖରେ ଏକବର୍ଷରୁ ଉର୍ଦ୍ଧ୍ବ ଏହି ଶିଶୁମାନଙ୍କ ମୁଣ୍ଡନ କରାଇଥିଲେ ସକଳ ରୋଗ ବ୍ୟାଧି ଓ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ବାସ ରହିଛି।

ତେଣୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା'ଙ୍କ ପାଖରେ ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରାଇବାର ପରମ୍ପରା ଅନେକ ଦିନରୁ ଚାଲିଆସିଥିଲା କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ସେ ସବୁରେ ସତେ ଯେମିତି ପୂର୍ଣ୍ଣଚ୍ଛେଦ ପଡିଯାଇଛି । ବର୍ଷକରେ ଥରେ କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା'ଙ୍କ ମନ୍ଦିର ଖୋଲା ଯାଇ ପୂଜାର୍ଚ୍ଚନା କରାଯିବା ନିଶ୍ଚିତ ଭାବରେ ନିଆରା ପରମ୍ପରା।

ବର୍ଷସାରା ମା ଲୋଭୀ ଠାକୁରାଣୀଙ୍କର ସେବାପୂଜା ହୋଇଥାଏ ଲୋଭୀ ଚଉରା ପାଖରେ। ଏହି ଚଉରା ପାଖରେ ଥିବା ଏକ ବଣିକ ପରିବାରର ପୂର୍ବଜଙ୍କ ସହିତ ମା ଲୋଭୀ ଠାକୁରାଣୀ ତାଳଚେର ଅଞ୍ଚଳରୁ ଆସିଥିବା କିମ୍ବଦନ୍ତୀ ରହିଛି। ବିଶ୍ଵାସ ,ଅବିଶ୍ବାସ  ଆଉ ଅନ୍ଧବିଶ୍ୱାସ ଭିତରେ ବିଜ୍ଞାନ ବେଳେବେଳେ ନିଜର ଅସହାୟତା ପ୍ରକାଶ କରେ। ଏମିତି ଏକ ନିଆରା ପରମ୍ପରା ଲୋଭୀ ଠାକୁରାଣୀଙ୍କ ମହିମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.