ନୂପୁରଙ୍କ ମାମଲାରେ ସିଜେଆଇଙ୍କୁ ପୂର୍ବତନ ବିଚାରପତିମାଙ୍କ ଖୋଲା ଚିଠି, କହିଲେ- 'ଲଙ୍ଘିଲ ଲକ୍ଷ୍ମଣରେଖା'

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ଜଜଙ୍କ କଡା ଟିପ୍ପଣୀକୁ ନେଇ ଉଠିଛି ବିରୋଧର ସ୍ଵର। ଜଜଙ୍କ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଖୋଲା ଚିଠି ଲେଖିଛନ୍ତି ୧୧୭ ଜଣ। ଏଥିରେ ଅଛନ୍ତି ୧୫ ପୂର୍ବତନ ଜଜ, ୭୭ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ୨୫ ଅବସରପ୍ରାପ୍ତ ସୈନ୍ୟ ଅଫିସର। ଚିଠିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟର ଜଜ ନିଜ ଟିପ୍ପଣୀ ଜରିଆରେ ଲକ୍ଷ୍ମଣ ରେଖା ଲଙ୍ଘିଛନ୍ତି। ଆମେ ଜଣେ ନାଗରିକ ହିସାବରେ ମାନିଥାଉ ଯେ, ଗଣତନ୍ତ୍ର ତେବେ ଯାଇ ସଂପୂର୍ଣ୍ଣ ସୁରକ୍ଷିତ ରହେ, ଯେତେବେଳେ ଦେଶର ସମସ୍ତ ସଂସ୍ଥା ସମ୍ବିଧାନ ପରିଧିରେ ରହି କାମ କରନ୍ତି।

ପ୍ରଧାନ ବିଚାରପତିଙ୍କୁ ଲେଖା ହୋଇଥିବା ଚିଠିରେ କୁହାଯାଇଛି, ସୁପ୍ରିମକୋର୍ଟର ଦୁଇ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେବି ପାରଦିଓ୍ଵାଲାଙ୍କ ଟିପ୍ପଣୀ ଲକ୍ଷ୍ମଣ ରେଖା ଲାଙ୍ଘିଛି। ଫଳରେ ଆମେ ଚିଠି ଲେଖିବାକୁ ବାଧ୍ୟ ହୋଇଛୁ। ଦୁଇ ବିଚାରପତି ଦୁର୍ଭାଗ୍ୟପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଭାରତର ନ୍ୟାୟପାଳିକା ଇତିହାସରେ ଏହି ପରି ଦୁର୍ଭାଗ୍ୟପୂର୍ଣ୍ଣ ଟିପ୍ପଣୀର କୌଣସି ଉଦାହରଣ ଦେଖିବାକୁ ମିଳିନାହିଁ। ତେଣୁ ଏହା ଉପରେ ତତ୍କାଳ ସୁଧାର ପାଇଁ ପଦକ୍ଷେପ ଉଠାଯିବା ଉଚିତ୍। ଏଥିରେ ଗଣତାନ୍ତ୍ରିକ ମୂଲ୍ୟ ଏବଂ ଦେଶର ସୁରକ୍ଷା ଉପରେ ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପୂର୍ବତନ ବିଚାରପତିମାନେ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟକୁ ଚିଠି ଲେଖିଥିବା ପୂର୍ବତନ ଜଜଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି କ୍ଷୀତିଜ ବ୍ୟାସ୍, ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଏସଏମ ସୋନୀ, ରାଜସ୍ଥାନ ହାଇକୋର୍ଟର ବିଚାରପତି ଆର ଏସ ରାଠୋର ଏବଂ ପ୍ରଶାନ୍ତ ଅଗ୍ରଓ୍ଵାଲ ସାମିଲ୍। ଏହା ବ୍ୟତୀତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏସଏନ ଢିଙ୍ଗରା ମଧ୍ୟ ସାମିଲ୍। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆର ଏସ ଗୋପାଲନ, ଏସ କୃଷ୍ଣ କୁମାର, ନିରଞ୍ଜନ ଦେଶାଇ, ପୂର୍ବତନ ଡିଜିପି ଏସପି ବୈଦ୍ୟ ଏବଂ ବିଏଲ ଭୋହରା ସାମିଲ୍।

ସୂଚନାଯୋଗ୍ୟ, ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେଣୁ ସମସ୍ତ ମାମଲାକୁ ଗୋଟିଏ ଜାଗାକୁ ସ୍ଥାନାନ୍ତର କରିବାକୁ  ଜୁଲାଇ ୧ରେ ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନୂପୁରଙ୍କ ଉପରେ ଖୁବ୍ ବର୍ଷିଥିଲେ। ଦୁଇ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେବି ପାରଦିଓ୍ଵାଲାଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ନୂପୁରଙ୍କ ବୟାନରେ ଦେଶରେ ନିଆଁ ଲାଗିଛି। ଉଦୟପୁର କାଣ୍ଡ ମଧ୍ୟ ତାଙ୍କ ବୟାନ ପାଇଁ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.