ବିଜେପୁରରେ ଫୁଟିଲା ଗୁଳି : ୩ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗ୍ରାମବାସୀ
7/06/2019 at 6:18 PM

ବରଗଡ଼ ୭/୬: ବିଜେପୁରରେ ଗର୍ଜିଲା ବନ୍ଧୁକ । ଫୁଟିଲା ଗୁଳି । ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗ୍ରାମବାସୀ । ତେବେ ସାଧାରଣ ନିର୍ବାଚନ ପରେ ଆଉ ହେବାକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ଗୁଳିକାଣ୍ଡକୁ ନେଇ ନାନା ପ୍ରଶ୍ନ ଉଠୁଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି ।
ବିଜେପୁରରେ ଗର୍ଜିଲା ବନ୍ଧୁକ । ଫୁଟିଲା ଗୁଳି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଲାଉମୁଣ୍ଡା ଗାଁରେ ଆଜି ୩ଜଣ ଯୁବକ ଫାଙ୍କା ଗୁଳି ଚାଳନା କରିବା ସହ ଚଳାଇଥିଲେ ଆତଙ୍କରାଜ । ଗାଁ ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ପୋଲିସ ଜିମା ଦେଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି । ଗଲା ମାସ ୫ତାରିଖରେ ଲାଉମୁଣ୍ଡା ଗାଁର ସୁପାଲ ଭୋଇଙ୍କୁ ୪ଜଣ ଯୁବକ ଘରୁ ଡାକିନେଇ ନିସ୍ତୁକ ମାଡ଼ ମାରିଥିଲେ । ସୁପାଲଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ତେବେ ଜୁନ୍ ୪ ତାରିଖ ଦିନ ହଠାତ୍ ସୁପାଲଙ୍କ ମୃତ ଦେହ ପାଖ ଗାଁ ସାତବନ୍ଧରେ ଏକ ନିମ୍ବଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସୁପାଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ସେମାନଙ୍କୁ ଭୟଭୀତ କରିବାକୁ ଅଭିଯୁକ୍ତମାନେ ଏଭଳି ଗୁଳିକାଣ୍ଡ କରିଥିବା କୁହାଯାଉଛି ।
ଗୁଳିକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ୍ କରିଛି ପୋଲିସ । ତେବେ ପୋଲିସ ରାଜନୈତିକ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଲାଉମୁଣ୍ଡା ଗ୍ରାମବାସୀ । ସେପଟେ ପୋଲିସ କହିଛି ୩ ଅଭିଯୁକ୍ତଙ୍କୁ ଅଟକ ରଖି ଚାଲିଛି ତଦନ୍ତ ।
ବିଜେପୁରରେ ଉପନିର୍ବାଚନ ହେବାକୁ ଥିବା ବେଳେ ଗୁଳିକାଣ୍ଡ ଓ ଛକାପଞ୍ଝାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
