ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସ ଇଓଡବ୍ଲୁର ସମନ ; ଆଜି ହାଜର ହେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧: ଆଜି ପରିବର୍ତ୍ତନ ସଂକଳ୍ପ ସମାବେଶ ପାଇଁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏପଟେ ରାହୁଲଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟ ରାଜନୀତିରେ ହଲଚଲ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏକ ଠକେଇ ମାମଲାରେ ଦିଲ୍ଲୀ ପୋଲିସର ଅପରାଧ ଶାଖା ଇଓଡବ୍ଲୁ ସମନ ଜାରି କରିଛି । ନିରଞ୍ଜନଙ୍କ ସହ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଆଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାବାସି ଟେଲିକମ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଆର୍ଥିକ ତୋଷରପାତ ନେଇ କେ. ଏସ୍. ଆଲୁୱାଲିଆ ଫରିଦ ଆଫ୍ରୁଉଦ୍ଦିନଙ୍କ ବିରୋଧରେ ୨୦୧୫ରେ ଏକ ମାମଲା ରୁଜୁ କରିଥିଲେ । ଆଲୁୱାଲିଆଙ୍କ ଅଭିଯୋଗ ହେଉଛି ୨୦୦୭-୦୮ରେ ବାବାସି ଟେଲିକମ୍ ପ୍ରାଇଭେଟ୍ କମ୍ପାନୀକୁ ସେ ୩୨ କୋଟି ଟଙ୍କା ଦେଇଥିଲେ । ତେବେ ସେ ଦେଇଥିବା ଟଙ୍କା ଫେରସ୍ତ ପାଇନଥିଲେ । ଜାଲିଆତି କରି ତାଙ୍କ ଠାରୁ ଏହି ଟଙ୍କା ନିଆଯାଇଥିଲା । କମ୍ପାନୀ ସହିତ ନେଣଦେଣ ବେଳେ ନିରଞ୍ଜନ ପଟ୍ଟନାୟକ ଓ ନବଜ୍ୟୋତି ପଟ୍ଟନାୟକ ସେହି କମ୍ପାନୀର ନିର୍ଦ୍ଦେଶକ ଥିଲେ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସଫେଇରେ ତତ୍କାଳୀନ ନିର୍ଦ୍ଦେଶକ ୩୨କୋଟି ଟଙ୍କାରୁ ୬ କୋଟି ଟଙ୍କା ହେରଫେର ବି କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣା ପରେ ବାପ ପୁଅ ଦୁହେଁ କମ୍ପାନୀରୁ ଇସ୍ତଫା ଦେଇଥିଲେ । ମାମଲାର ତଦନ୍ତ ଏବେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା କରୁଛି । ନିଜ ନାଁରେ ଦିଲ୍ଲୀ ପୋଲିସ ଇ.ଓ.ଡବ୍ଲୁ ସମନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ । ଏଭଳି କୌଣସି ନୋଟିସ୍ ସେ ପାଇ ନାହାନ୍ତି । ସେ ବହୁ ପୂର୍ବରୁ ବାବାସି ଟେଲିକମ୍ ରେ ନିର୍ଦ୍ଦେଶକ ଥିଲେ । ଅନେକ ଦିନ ହେବ ସେଥିରୁ ସେ ଇସ୍ତଫା ଦେଇସାରିଛନ୍ତି । ସେ ସ୍ବଚ୍ଛ, କୌଣସି ଦୋଷ ତ୍ରୁଟି ଥିଲେ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ନେବ । ଆଜି ସେ ପୂରା ଦମରେ ରାହୁଲଙ୍କ ସାଙ୍ଗରେ ରହିବେ ବୋଲି ନିରଞ୍ଜନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.