ଅଭିନନ୍ଦନଙ୍କ ଫ୍ୟାନ୍ ଥିଲେ ଦିଲ୍ଲୀ ହିଂସାରେ ଶହୀଦ ହୋଇଥିବା ରତନ ଲାଲ : ତାଙ୍କ ଭଳି ରଖିଥିଲେ ନିଶ
25/02/2020 at 3:28 PM

ନୂଆଦିଲ୍ଲୀ ୨୫/୨: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍(ସିଏଏ)ବିରୋଧରେ ହୋଇଥିବା ହିଂସାରେ ହେଡ କନେଷ୍ଟବଲରତନ ଲାଲଙ୍କ ଜୀବନ ଚାଲିଯାଇଛି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାରରେ ଶୋକର ଲହରୀ ଖେଳିଗଲା। ଦିଲ୍ଲୀ ପୋଲିସରେ ଥିବା ତାଙ୍କ ବନ୍ଧୁମାନେ ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ କାମ କରୁଥିବା ଯବାନମାନେ କହିଛନ୍ତି ଯେ ରତନ ଲାଲଙ୍କୁ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଭଳି ନିଶ ରଖିବାର ସଉକ ଥିଲା।

ସେ ତାଙ୍କ ନିଶ ପାଇଁ ଦିଲ୍ଲୀ ପୋଲିସରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ଏପରିକି ରତନ ଲାଲ ପିଲାଙ୍କୁ ଅଭିନନ୍ଦନଙ୍କ ପରି ହେବାକୁ ପରାମର୍ଶ ଦେଉଥିଲେ।

ଗତ ବର୍ଷ ଫେବୃୟାରୀ ୨୭ତାରିଖରେ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଦ୍ବାରା ମିଗ୍-୨୧ରୁ ପାକିସ୍ତାନ ଏୟାରଫୋର୍ସଙ୍କ ଏଫ-୧୬ ଜେଟକୁ ମାରି ଖସାଇବା ପରେ ରତନ ଲାଲ ପୂରାପୂରି ଅଭିନନ୍ଦନଙ୍କ ଭଳି ନିଶ ରଖିଥିଲେ। ଏବେ ଠିକ୍ ବର୍ଷେ ପରେ ୪୧ବର୍ଷ ବୟସ୍କ ରତନ ଲାଲ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କ ସହ ମୁହାଁମୁହିଁ ହେବାବେଳେ ଶହୀଦ ହୋଇଯାଇଥିଲେ।

ରତନ ଲାଲଙ୍କ ପରିବାର ଲୋକେ କହିଥିଲେ ଯେ ୧୯୯୮ମସିହାରେ ରତନ ଲାଲ ଦିଲ୍ଲୀ ପୋଲିସରେ ଭର୍ତି ହୋଇଥିଲେ। ସେ ହେଡ କନେଷ୍ଟବଲ୍ ପଦରେ ଗୋକୁଲପୁରୀରେ ନିଯୁକ୍ତ ଥିଲେ।

ରାଜସ୍ଥାନର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ୩ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଥିଲେ। ନିଜ ପତ୍ନୀ ଏବଂ ୩ପିଲାଙ୍କ ସହ ସେ ନର୍ଥ ଦିଲ୍ଲୀର ବୁରାଡ଼ୀରେ ରହୁଥିଲେ।

ରତନ ଲାଲଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ତାଙ୍କ ପିଲାଙ୍କୁ ପ୍ରମିଜ କରିଥିଲେ ଯେ ଏଥର ହୋଲି ସେ ନିଜ ଗାଁ ତିହାଓ୍ବାଲିରେ ପାଳନ କରିବେ। କିନ୍ତୁ ତାଙ୍କ ପ୍ରମିଜ ଅଧୁରା ରହିଗଲା।