କେବଳ ଭାରତ ହେଉଛି ଏକ ମାତ୍ର ଦେଶ ଯାହାର ସମଗ୍ର ବିଶ୍ଵକୁ କୋଭିଡ୍ ଭ୍ୟାକସିନ ଯୋଗାଇବାର କ୍ଷମତା ରହିଛି: ଅଷ୍ଟ୍ରେଲିଆ ରାଜଦୂତ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯।୧୨: କେବଳ ଭାରତ ହେଉଛି ଏକ ମାତ୍ର ଦେଶ ଯାହା ପାଖରେ କୋଭିଡ୍-୧୯ ଭ୍ୟାକସିନ ଉତ୍ପାଦନ କରି ସମଗ୍ର ବିଶ୍ଵକୁ ଯୋଗାଇବାର କ୍ଷମତା ରହିଛି। ବୁଧବାର ହାଇଦ୍ରାବାଦ ଗସ୍ତ କରି ଭ୍ୟାସକିନ ଉପରେ କାମ କରୁଥିବା ଫାର୍ମାସ୍ୟୁଟିକଲ କମ୍ପାନୀ ପରିଦର୍ଶନ ପରେ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ ଫେରେଲ ଏହି କଥା କହିଛନ୍ତି।

ସମଗ୍ର ବିଶ୍ଵର ଅନେକ ଦେଶରେ ଭ୍ୟାକସିନ ଉତ୍ପାଦନ କରାଯାଉଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଭାରତ ହେଉଛି ଏକ ମାତ୍ର ଦେଶ ଯାହାର ମ୍ୟାନୁଫେକଚରିଂ ଏମିତି ରହିଛି ଯାହା ଦୁନିଆର ପ୍ରତ୍ୟେକ ଦେଶର ନାଗରିକଙ୍କୁ କରୋନା ଟିକା ଉପଲବ୍ଧ କରାଇବାର କ୍ଷମତା ରହିଛି। ଭ୍ୟାକସିନର ୩୩ ପ୍ରତିଶତ ଭାଗ ହାଇଦ୍ରାବାଦର ଜେନୋମି ଭ୍ୟାଲିରେ ଉତ୍ପାଦନ ହେଉଥିବା ସେ କହିଛନ୍ତି।

ବୁଧବାର ୬୪ ରାଷ୍ଟ୍ରଦୂତ ଏବଂ ଅନେକ ଦେଶର ଉଚ୍ଚାୟୁକ୍ତ ଦୁଇଟି ବାୟୋଟେକ୍ କମ୍ପାନୀ ଭାରତ ବାୟୋଟେକ୍ ଓ ବାୟୋଲୋଜିକଲ ଇ ପରିଦର୍ଶନ କରିଛନ୍ତି। ଏହି ଦୁଇଟି କମ୍ପାନୀ କୋଭିଡ୍-୧୯ ବିରୋଧରେ ଭ୍ୟାକସିନ ପ୍ରସ୍ତୁତି କରୁଛନ୍ତି।

ଭାରତ ବାୟୋଟେକ୍ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର ସହିତ ମିଶି ଭ୍ୟାକସିନ ବିକଶିତ କରୁଛନ୍ତି। ସଂସ୍ଥା ଭ୍ୟାକସିନ ବ୍ୟବହାର ଲାଗି ସରକାରଙ୍କ ଅନୁମତି ଲୋଡିଛି। ରିପୋର୍ଟ ଅନୁସାରେ, ଆଜି କମ୍ପାନୀର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଡକ୍ଟର କ୍ରିଷ୍ଣ ଏଲ୍ଲା ଭାରତ ଭ୍ୟାକସିନ ଉତ୍ପାଦନର ବିଭିନ୍ନ ଦିଗ ଉପରେ ବିଦେଶୀ ରାଷ୍ଟ୍ରଦୂତ ଓ ଉଚ୍ଚାୟୋଗଙ୍କ ସମ୍ମୁଖରେ ନିଜର ଉପସ୍ଥାପନ ରଖିଥିଲେ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆସନ୍ତା କିଛି ସପ୍ତାହ ଭିତରେ ଆମକୁ ଭ୍ୟାକସିନ ମିଳିବାର ଆଶା ରହିଛି। ବିଶେଷଜ୍ଞଙ୍କ ମତରେ ଆମକୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଯେମିତି ଆମକୁ ବୈଜ୍ଞାନିକଙ୍କ ସବୁଜ ସଙ୍କେତ ମିଳିଯିବ ଭ୍ୟାକସିନ ଉତ୍ପାଦନ ଆରମ୍ଭ ହୋଇଯିବ। କେନ୍ଦ୍ରୀ ଟିକାକରଣ ପାଇଁ ରାଜ୍ୟଗୁଡିକ ସହିତ ମିଶି କାମ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.