ମାତ୍ର ୧୫ ଦିନରେ ରାୟ ଶୁଣାଇଲେ ମଥୁରା କୋର୍ଟ; ଦୁଷ୍କର୍ମ ଓ ନାବାଳକ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡ
29/05/2023 at 5:13 PM

ମଥୁରା ୨୯/୦୫: ଦୁଷ୍କର୍ମ ପରେ ହତ୍ୟା ମାମଲାରେ ମଥୁରାର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ମାତ୍ର ୧୫ ଦିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ନାବାଳକ(୦୮)କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅଦାଲତ। କୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି ଯେ ଦୋଷୀ ମହମ୍ମଦ ସୈଫ୍ର ମୃତ୍ୟୁ ନହେବା ପର୍ଯ୍ୟନ୍ତ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ରଖାଯିବ।

ଖବର ଅନୁସାରେ, ଔରଙ୍ଗାବାଦର ସଦର ଥାନା ଅଞ୍ଚଳରେ ଏପ୍ରିଲ୍ ୮ରେ ଜଣେ ଆଠ ବର୍ଷୀୟ ନାବାଳକକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସମ୍ପୃକ୍ତ ନାବାଳକର ମୃତଦେହ ତାଙ୍କ ଘର ପାଖରେ ଥିବା ଏକ ଡ୍ରେନ୍ରୁ ମିଳିଥିଲା। ପୋଲିସ ଏହି ମାମଲାରେ ତତ୍ପରତା ଦେଖାଇ ଏପ୍ରିଲ୍ ୨୮ରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା ବୋଲି ଅଧିବକ୍ତା ଅଳକା ଉପମନ୍ୟୁ କହିଛନ୍ତି।
ପୋକ୍ସୋ କୋର୍ଟରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା। ଅଭିଯୋଗ ଦାଖଲ ହେବା ପରେ ଅଦାଲତ ମେ ୨ରେ ଅଭିଯୁକ୍ତ ଉପରେ ଚାର୍ଜ ଫ୍ରେମ୍ କରିଥିଲା। ମେ ୮ରେ କୋର୍ଟରେ ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ଓ ମେ ୧୮ ସୁଦ୍ଧା ସମସ୍ତ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ସରିଥିଲା। ବିଶେଷ ଅଧିବକ୍ତା କହିଛନ୍ତି ଯେ, ମେ ୨୨ରେ ଦଣ୍ଡାଦେଶ ଉପରେ ଯୁକ୍ତି ଶୁଣିବା ପରେ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ଶୁଣାଇବା ପାଇଁ ଆସନ୍ତା ତାରିଖ ଧାର୍ଯ୍ୟ କରିଥିଲେ।