ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ୨ ହଜାର ଟଙ୍କିଆ ନୋଟ ସମ୍ପର୍କିତ ସୂଚନା ଜାରି କରିଛନ୍ତି। ଏହି ନୋଟ୍ ନିଷିଦ୍ଧ ହେବା ପରଠାରୁ ଏପର୍ଯ୍ୟନ୍ତ ୯୭.୯୨ ପ୍ରତିଶତ ନୋଟ ବିଭିନ୍ନ ମାଧ୍ୟମରେ ବ୍ୟାଙ୍କକୁ ଫେରି ଆସିଛି। ତେବେ ବଜାରରେ ଏବେ ବି ବିପୁଳ ପରିମାଣରେ ନୋଟ ମହଜୁଦ ରହିଛି। ଏହି ନୋଟର ପରିମାଣ ପାଖାପାଖି ୭ହଜାର ୪୦୯ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଆରବିଆଇ ୧୯ ମେ ୨୦୨୩ରେ ୨ହଜାର ଟଙ୍କିଆ ନୋଟକୁ ପ୍ରଚଳନରୁ ବାହାର କରିଦେଇଥିଲେ।
୧୯ମେ ୨୦୨୩ ସ୍ଥିତି ଅନୁସାରେ ସେତେବେଳେ ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଥିଲା। ତେବେ ୩୧ ଜୁଲାଇ ୨୦୨୪ ସୁଦ୍ଧା ଏହା ହ୍ରାସ ହୋଇ ମାତ୍ର ୭, ୪୦୯ କୋଟି ଟଙ୍କା ରହି ଯାଇଛି। ୨ ହଜାର ଟଙ୍କା ନୋଟ୍ ପ୍ରଚଳନରୁ ବାହାର ହୋଇଥିଲେ ମଧ୍ୟ ଆରବିଆଇ ଏହାକୁ ବଦଳାଇ ଅନ୍ୟ ନୋଟ ନେଇଯିବା ନିମନ୍ତେ ଲୋକଙ୍କୁ ସୁବିଧା ପ୍ରଦାନ କରୁଛନ୍ତି। ଏହି ସବୁ ନୋଟକୁ ଏବେ ଦେଶରେ ଥିବା ୧୯ଟି ନିର୍ଗମ କାର୍ଯ୍ୟାଳୟରେ ବଦଳାଯାଇ ପାରୁଛି।
ବ୍ୟାଙ୍କ ନୋଟ ଜମା ଓ ବିନିମୟ କରିବା ପାଇଁ ଦେଶର ଅହମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଲ, ଭୁବନେଶ୍ୱର, ଚଣ଼୍ଡିଗଡ, ଚେନ୍ନାଇ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ ତିରୁଅନନ୍ତ ପୁରମ ସ୍ଥିତ ଆରବିଆଇ କାର୍ଯ୍ୟାଳୟ ରହିଛି। ଏହା ଛଡା ଡାକ ମାଧ୍ୟମରେ ପଠାଇଲେ ବି ଟଙ୍କା ବଦଳାଇ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୦୧୬ରେ ୧ ହଜାର ଓ ୫୦୦ ଟଙ୍କା ନୋଟ ପ୍ରଚଳନରୁ ବାହାର ହେବା ଯୋଗୁ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟ୍ ଜାରି କରାଯାଇଥିଲା।