୫ଟି ଇନିଂସରେ ମାତ୍ର  ୬୩ ରନ, କଣ ଧର୍ମଶାଳା ଟେଷ୍ଟରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

Published By : Prameya-News7 Bureau | February 25, 2024 IST

ରାଞ୍ଚି: ରଜତ ପାଟିଦାରଙ୍କୁ ଇଂଲଣ୍ଡ ବିପକ୍ଷରେ ବର୍ତ୍ତମାନ ଖେଳା ଯାଉଥିବା ଟେଷ୍ଟ ସିରିଜ୍‌ରେ ବିରାଟ କୋହଲିଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ୍ କରାଯାଇଛି। ତାଙ୍କଠୁ ବଡ଼ ଆଶା ରଖିଥିଲା ଦଳ ଏବଂ ପ୍ରବନ୍ଧକଙ୍କ ମଧ୍ୟ ତାଙ୍କ ଉପରେ ଭରସା ଥିଲା। କୋହଲିଙ୍କ ସବୁଠୁ ପ୍ରିୟ ବ୍ୟାଟିଂକ୍ରମ ୪ ନମ୍ବରରେ ରଜତଙ୍କୁ ଖେଳିବାର ସୁଯୋଗ ମିଳିଲା।  ହେଲେ ଏ ପର୍ଯ୍ୟନ୍ତ ୫ଟି ଇନିଂସ ଖେଳିଥିଲେ ହେଁ ନିରାଶ କରିଛନ୍ତି ରଜତ ପାଟିଦାର। ତେଣୁ ପ୍ରଶ୍ନ ଉଠୁଛି ଯେ, କଣ ଧର୍ମାଶାଳା ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିବ। ତେବେ ରାଞ୍ଚି ଟେଷ୍ଟରେ ଆଉ ଗୋଟିଏ ଇନିଂସ ବାକି ରହିଛି।

ପାଟିଦାର ଏ ପର୍ଯ୍ୟନ୍ତ ୫ଟି ଇନିଂସରେ ୧୨.୬ ହାରରେ ସେ ମାତ୍ର ୬୩ ରନ କରିଛନ୍ତି। ସେ ନିଜର ପ୍ରତିଭା ଅନୁସାରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ କରି ପାରି ନାହାନ୍ତି। କାରଣ ଘରୋଇ କ୍ରିକେଟରେ ୫୭ଟି ମ୍ୟାଚ୍‌ରେ ସେ ୪୪.୪୬ ହାରରେ ୪୦୪୬ ରନ କରିଛନ୍ତି ରଜତ। ତେବେ ବର୍ତ୍ତମାନର ଫର୍ମ ବହୁତ ଚିନ୍ତାଜନକ ରହିଛି।

Also read- ଇଶାନଙ୍କ ସମେତ ଏହି ୩ ଖେଳାଳିଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା, ହେବାକୁ ଯାଉଛି ବଡ କାର୍ଯ୍ୟାନୁଷ୍ଠାନ

ରାଞ୍ଚି ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ରଜତ ପାଟିଦାରଙ୍କୁ ସମର୍ଥନ କରିଥିଲେ। ସେ ଏହି ବ୍ୟାଟରଙ୍କ ସହ ନିୟମିତ ଆଲୋଚନା କରୁଥିବା କହିଛନ୍ତି। କୌଣସି ଖେଳାଳି ଦୁଇ ତିନୋଟି ଖରାପ ମ୍ୟାଚ୍‌ ଆଧାରରେ ବେକାର ଖେଳାଳି ହୋଇ ଯାଏ ନାହିଁ। ଏମିତି ପ୍ରଦର୍ଶନ ଅନ୍ୟ କାହା ସହ ମଧ୍ୟ ହୋଇପାରେ। ବ୍ୟାଟିଂ କୋଚ୍‌ଙ୍କ ବୟାନରୁ ସ୍ପଷ୍ଟ ଯେ, ଦଳ ପ୍ରବନ୍ଧକ ପାଟିଦାରଙ୍କ ସମର୍ଥନରେ ଅଛନ୍ତି।

ଶୁଭମନ ଗିଲ୍‌ଙ୍କ ସହ ମଧ୍ୟ ଏମିତି ଘଟିଥିଲା। ସେ ବାରମ୍ବାର ବିଫଳ ହେଉଥିଲେ। ପୁଣି ବିଶାଖାପଟନମ ଟେଷ୍ଟରେ ଶତକ ଅର୍ଜନ କରିଥିଲେ। ୨୦୨୩ ମାର୍ଚ୍ଚ ୯ ତାରିଖରେ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଗିଲ୍‌ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ।

ଉଲ୍ଲେଖନୀୟ, ପାଟିଦାରଙ୍କୁ ବିଶାଖାପଟନମ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ଉକ୍ତ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୭୮ ବଲ୍ ଖେଳି ୩୨ ରନ କରିଥିଲେ। ଏହା ପରେ କୌଣସି ଲମ୍ବା ଇନିଂସ ଖେଳି ପାରି ନାହାନ୍ତି ଏହି ଉଦୀୟମାନ ବ୍ୟାଟର। ପାଟିଦାର ବିଶାଖାପଟନମ ଟେଷ୍ଟର ଦ୍ଵିତୀୟ ଇନିଂସରେ ୯, ରାଜକୋଟ୍ ଟେଷ୍ଟରେ ୫ ଓ ୦ ଓ ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ୧୭ ରନ କରି ଆଉଟ୍ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.