ଉଦ୍ଧବ ଠାକରେଙ୍କ ବୈଠକକୁ ପହଞ୍ଚିଲେ ମାତ୍ର ୨୦ ବିଧାୟକ, ଗାଏବ ରହିଲେ ୩୫, ବଢିଲା ସରକାରଙ୍କ ଅଡୁଆ

Published By : Prameya-News7 Bureau | June 21, 2022 IST

ମୁମ୍ବାଇ: ଏକନାଥ ସିନ୍ଧେଙ୍କ ବିଦ୍ରୋହ ଏବଂ ପ୍ରାୟ ଦୁଇ ଡର୍ଜନ ବିଧାୟକ ସୁରଟରେ ଡେରା ପକାଇବା ଶିବସେନା ଏବଂ ମହାରାଷ୍ଟ୍ର ସରକାରଙ୍କ ପାଇଁ ବଡ ସଙ୍କଟ ସୃଷ୍ଟି କରିଛି । ଉଦ୍ଧବ ଠାକରେ ଏହି ମାମଲାରେ ଆଲୋଚନା ପାଇଁ ମଙ୍ଗଳବାର ଅପରାହ୍ନରେ ବୈଠକ ଡକାଇଥିଲେ । ଏଥିରେ ପ୍ରାୟ ୨୦ ବିଧାୟକ ଯୋଗ ଦେଇଛନ୍ତି । ଏହା ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଶିବସେନାର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୫୫ । ଯଦି ପାର୍ଟିରୁ ୨୭ ବିଧାୟକ ଅଲଗା ହୋଇଯିବେ ତେବେ ଦଳ ଅଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଏମିତିରେ ଉଦ୍ଧବ ଠାକରେଙ୍କ ବୈଠକରୁ ୩୫ ବିଧାୟକ ଦୂରେଇ ରହିବା ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶିବସେନା ବର୍ତ୍ତମାନ ଡ୍ୟାମେଜ କଂଟ୍ରୋଲରେ ଜୁଟି ଯାଇଛି । ଗୋଟିଏ ପଟେ ଏକନାଥ ସିନ୍ଧେଙ୍‌କୁ ବିଧାୟକ ଦଳର ନେତା ପଦରୁ ହଟାଇ ଅଜୟ ଚୌଧୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ବିଜେପିର ଦୃଢୋକ୍ତି ଶିବସେନା ଏବଂ ଅଘାଡି ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ପାଖରେ ଯେଉଁ ଖବର ରହିଛି, ତାହା ଅନୁଯାୟୀ ଏକନାଥ ସିନ୍ଧେ ୩୫ ଜଣ ବିଧାୟକଙ୍କ ସହିତ ସୁରଟ ଯାଇଛନ୍ତି । ଏହାର ଅର୍ଥ ଉଦ୍ଧବ ଠାକରେଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ହେଲେ ବ୍ୟବହାରିକ ଭାବେ ସରକାର ସଂଖ୍ୟା ଲଘୁ ହେବାରେ ଏବେ ଆଉ କିଛି ସମୟ ଲାଗିବ । ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି, ବିଜେପି ଏଥର ଅତିତ୍ତଉତ୍ସାହିତ ହେବାକୁ ଚାହୁଁନାହିଁ । ସଂପ୍ରତି ଅନାସ୍ଥା ପ୍ରସ୍ତାବ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇବରା ସ୍ଥିତି ଉତ୍ପନ ହୋଇ ନାହିଁ । ଜୁଲାଇ ୧୮ରୁ ଗୃହର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସରକାର ଗଠନ ଦାବି ଉପରେ ଏବେଠୁ କିଛି କହିବା ତରବରିଆ ହେବ ବୋଲି ପାଟିଲ୍ କହିଛନ୍ତି । ସଂପ୍ରତି ଆମେ ସ୍ଥିତି ଉପରେ ନଜର ରଖିଛୁ । ନା ଏକନାଥ ସିନ୍ଧେ ଆମ ନିକଟକୁ କୌଣସି ପ୍ରସ୍ତାବ ଦେଇଛନ୍ତି ଏବଂ ନା ବିଜେପି ପକ୍ଷରୁ ତାଙ୍କୁ କିଛି ଅଫର ଦିଆଯାଇଛି ।

ସେ କହିଛନ୍ତି, ରାଜନୀତିରେ କୌଣସି ମୂହୁର୍ତ୍ତରେ କିଛି ବି ଘଟିପାରେ । ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୧୦୬ । ଦଳକୁ ୧୩ ସ୍ୱାଧୀନ ବିଧାୟକ ସମର୍ଥନ ମିଳିଛି । ଯଦି ବିଜେପିକୁ ୨୬ ଶିବସେନା ବିଧାୟକଙ୍କ ସମର୍ଥନ ମିଳିଯାଏ ତେବେ ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବରରେ ପହଞ୍ଚିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.