ପାଠ ଅନଲାଇନ୍‌ରେ, ପରୀକ୍ଷା ଅଫ୍‌ଲାଇନ୍‌ରେ: ୯ ମାସ ହେଲା ସ୍କୁଲ ମାଟି ମାଡ଼ିନାହାନ୍ତି ପିଲା, ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ନେଇ ଚିନ୍ତା

Published By : Prameya-News7 Bureau | December 03, 2020 IST

ଏବେ ମାଟ୍ରିକ୍‌ ଓ ଯୁକ୍ତ -୨ ପରୀକ୍ଷା ଚିନ୍ତା। ଦିର୍ଘ ୯ ମାସ ହେଲା ସ୍କୁଲ ହତା  ମାଡିନଥିବା  ଛାତ୍ରଛାତ୍ରୀ  କିଭଳି ବାର୍ଷିକ ପରୀକ୍ଷାକୁ ସାମ୍ନା କରିବେ ? କୋଭିଡ୍‌ ପାଇଁ ଏବେ ସିନା ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ହେଲେ ସରକାର କହିଲେଣି ଅଫଲାଇନରେ କିନ୍ତୁ ଉଭୟ ପରୀକ୍ଷା ହେବ । ତେବେ ଅନଲାଇନ  ପାଠପଢା ପ୍ରଭାବୀ ହୋଇନଥିବା ‌ବେଳେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ଅନ୍‌ଲାଇନ୍‌ରେ ପାଠପଢା କିନ୍ତୁ ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା । ମାଟ୍ରିକ୍‌ ଓ ଯୁକ୍ତ-୨ ପରୀକ୍ଷା ଅଫ୍‌ଳାଇନ୍‌ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏଭଳି ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ କୋଭିଡ୍‌ ପାଇଁ ୯ ମାସ ହେଲା ସ୍କୁଲ୍‌ ମାଟି ମାଡି ନାହାନ୍ତି ଛାତ୍ରଛାତ୍ରୀ । ଅନଲାଇନ୍‌ ପାଠପଢା ପ୍ରଭାବହୀନ ରହିଛି । ହେଲେ ଗଣଶିକ୍ଷା ବିଭାଗ କିନ୍ତୁ କହିଛି ପରୀକ୍ଷା ସିନା ବିଲମ୍ବରେ ହେବ କିନ୍ତୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ।  ଏଥର ୩୦ ପ୍ରତିଶତ ସିଲାବସ୍‌ କାଣ୍ଟଛାଣ୍ଟ କରାଯାଇଥିଲେ ବି ସ୍କୁଲ୍‌ ଖୋଲିଥିବାରୁ ପାଠପଢା ପ୍ରଭାବହୀନ ରହିଛି । ଏଦୃଷ୍ଟିରୁ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ବିଳମ୍ବ ହେବା ନିଶ୍ଚିତ।

ଦଶମ ଓ ଦ୍ବାଦଶ ଶ୍ରେଣୀ  ପରୀକ୍ଷା ଅଫ୍‌ଲାଇନ୍‌ରେ ହେବା ନିଷ୍ପତ୍ତିକୁ ସ୍ବାଗତ କରିଛି  ଓଷ୍ଟା । ଡିସେମ୍ବର ୧୫ ତାରିଖ ପରଠାରୁ କ୍ଲାସ ଆରମ୍ଭ କରିବାକୁ ଓଷ୍ଟା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ପିଲାଙ୍କୁ ପ୍ରସ୍ତୁତ ହେବ ପାଇଁ ୧୪୦ ରୁ ୧୫୦ ଦିନ ଦରକାର । ମେ କିମ୍ବା ଜୁନ ମାସରେ ପରୀକ୍ଷା ହେଲେ ପିଲା ପ୍ରସ୍ତୁତ ହୋଇପାରିବେ । ଯେହେତୁ ରାଜ୍ୟରେ କରୋନା ପ୍ରଭାବ କମିଲାଣି ଗୋଟିଏ ଶ୍ରେଣୀ ଗୃହରେ ୨୦ ଜଣ ପିଲାଙ୍କୁ ରଖି ପାଠପଢା କାର୍ଯ୍ୟ କରାଯାଇପାରିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି । 

ସିବିଏସଇ ଢାଞ୍ଚାରେ  ଅଫଲାଇନରେ ପରୀକ୍ଷା କରିବାକୁ ସରକାର ଯୋଜନା କରୁଛନ୍ତି  ସତ ହେଲେ ସିଲାବସ କାଣ୍ଟଛାଣ୍ଟ ସହ ଓ ଶିକ୍ଷାବର୍ଷ ନେଇ ଏବେବି ଦ୍ବନ୍ଦ ଦୂର ହୋଇନି। …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.