ମନ୍ଦିରର ଦାନବାକ୍ସ ଉପରେ କରୋନାର ମାଡ଼ : ଅନଲାଇନରେ ଭକ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ କମିଛି ହୋମ,ଯଜ୍ଞ,ଦାନ

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ ୩୦/୪: କରୋନା ଓ ଲକଡାଉନ୍‌ ଯୋଗୁଁ ଲୋକେ ମନ୍ଦିରର ମୋହ ଛାଡ଼ି ଅନଲାଇନ୍ ଈଶ୍ବର ଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି। ଏହା ଏବେକାର ନୂଆ ଏବଂ ଜୋରସୋରରେ ଲୋକପ୍ରିୟ ହେଉଥିବା ଟ୍ରେଣ୍ଡ। ଲୋକେ ଏହାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ କଲେଣି।

ଅନଲାଇନ୍ ଦର୍ଶନ : ଭାରତର ପ୍ରମୁଖ ୮ଟି ମନ୍ଦିରରେ ମାସେ ମଧ୍ୟରେ ୨ରୁ ୧୦୦ଗୁଣା ଯାଏଁ ଅନଲାଇନରେ ଭଗବାନଙ୍କ ଦର୍ଶନ ହୋଇସାରିଛି। କିନ୍ତୁ ଅନଲାଇନ୍ ପୂଜା କରାଇବା,ଅଭିଷେକ,ଯଜ୍ଞ କରାଇବା ଏବଂ ପ୍ରସାଦ ବୁକ୍ କରିବାର ସଂଖ୍ୟା କେବଳ ୧୦%ରେ ରହିଯାଇଛି। ଲୋକେ ଏବେ ଅନଲାଇନ୍ ଡୋନେଟ୍ ମଧ୍ୟ କରୁନାହାନ୍ତି। ଆସନ୍ତୁ ସେହି ମନ୍ଦିର ଗୁଡ଼ିକ ବିଷୟରେ

୧.ଶିରିଡ଼ି ସାଇ ମନ୍ଦିର : ଶିରିଡ଼ିରେ ପ୍ରତିଦିନ ୩୦,୦୦୦ରୁ ଅଧିକ ଲୋକ ସାଇବାବା ଦର୍ଶନ କରିଥାନ୍ତି। ମୋବାଇଲ୍ ଆପ୍,ଟାଟା ସ୍କାଏ,ଜିଓ ଟିଭିରେ ଆସୁଥିବା ଅନଲାଇନ ଭକ୍ତଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ହୋଇଯାଇଛି। ଅନଲାଇନ୍ ଡୋନେଟ୍ ୯୫% କମି ଯାଇଛି।

୨. ସିଦ୍ଧି ବିନାୟକ : ମୁମ୍ବାଇର ସିଦ୍ଧି ବିନାୟକ ଅନଲାଇନରେ ପ୍ରତିଦିନ ୩ଲକ୍ଷ ଭକ୍ତ ଦର୍ଶନ କରୁଛନ୍ତି। ମାସେ ମଧ୍ୟରେ ୧କୋଟି ଲୋକ ଅନଲାଇନ୍ ଦର୍ଶନ କରି ସାରିଛନ୍ତି । ମୋବାଇଲ୍ ଆପ୍,ଟାଟା ସ୍କାଏ,ୟୁଟୁବ୍,ଫେସବୁକ୍ ଆଦି ଅନଲାଇନ୍ ପ୍ଲାଟଫର୍ମରେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିଛି।

୩.ବୈଷ୍ଣୋ ଦେବୀ : ବୈଷ୍ଣୋ ଦେବୀରେ ୧୦ହଜାର ଅନଲାଇନ୍ ଦର୍ଶକ ବଢ଼ିଛନ୍ତି ଏବଂ ଏବେ ଆଳତୀ ବି ଅନଲାଇନ୍ ହେଉଛି। ଏହି ଆଳତୀ ସକାଳ ଏବଂ ସନ୍ଧ୍ୟାରେ ଲାଇଭ ଦେଖାଯାଉଛି। ଲକଡାଉନ୍ ପୂର୍ବରୁ ପ୍ରତିଦିନ ୫ହଜାର ଲୋକ ଅନଲାଇନ୍ ଦର୍ଶନ କରୁଥିଲେ ।

୪.ସୋମନାଥ ଜ୍ୟୋତିର୍ଲିଙ୍ଗ : ଏଠାରେ ପୂଜାର୍ଚ୍ଚନା ଏବଂ ଆଳତୀ ପାଇଁ ଅନଲାଇନ୍ ୪୫ଦେଶର ଅଢ଼େଇ କୋଟି ଲୋକ ମାସେ ମଧ୍ୟରେ ଦର୍ଶନ କରିଛନ୍ତି ଯାହା ପୂର୍ବରୁ ୩ଲକ୍ଷ ହେଉଥିଲା।

୫.କାଶୀ ବିଶ୍ବନାଥ : ବନାରସରେ ଏବେ ପ୍ରତିଦିନ ଲୋକ ଅନଲାଇନ୍ ଆସୁଛନ୍ତି। ଅନଲାଇନ ଦର୍ଶନ ସଂଖ୍ୟା ୧୫ରୁ ଏବେ ୨୫ହଜାର ହୋଇଯାଇଛି। ଏଥିରେ ଏବେ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଗଲେଣି।

୬.ଚିନ୍ତପୂର୍ଣ୍ଣୀ ମାତା କାଙ୍ଗଡ଼ା : ଏଠାରେ ପ୍ରତିଦିନ ଅତି କମରେ ୧୦ହଜାର ଲୋକେ ଘରେ ବସି ମାତା ଏବଂ ଆଳତୀ ଦର୍ଶନ କରିଥାନ୍ତି। ଏଠାରେ ମାର୍ଚ୍ଚ ୨୨ତାରିଖ ଦିନ ଜନତା କର୍ଫ୍ୟୁରେ ୟୁଟ୍ୟୁବ୍ ଚ୍ୟାନେଲ୍ କରାଯାଇଥିଲା ଏବଂ ଏହାକୁ ଓ୍ବେବସାଇଟ୍ ସହ ଲିଙ୍କ୍ କରାଯାଇଛି। ଫେସବୁକ୍ ଏବଂ ୟୁଟ୍ୟୁବରେ ପେଜ୍ କରାଯାଇ ଅନଲାଇନ୍ ଦର୍ଶନ ବ୍ୟବସ୍ଥା କରାଯାଇଛି।

୭.ମହାକାଳେଶ୍ବର ମନ୍ଦିର : ଉଜ୍ଜୈନର ମହାକାଳେଶ୍ବର ମନ୍ଦିରରେ ମହାକାଳଙ୍କ ଅନଲାଇନ୍ ଭକ୍ତ ୧୦ଗୁଣା ବଢ଼ିଯାଇଛନ୍ତି। ମାର୍ଚ୍ଚ ୨୨ରୁ ଅପ୍ରେଲ୍ ୧୫ତାରିଖ ମଧ୍ୟରେ ୬୮ହଜାର ୫୧୨ଜଣ ଅନଲାଇନ୍ ଦର୍ଶନ କରି ସାରିଛନ୍ତି। ଫେସବୁକରେ ଦର୍ଶନ କରୁଥିବା ଲୋକ ୧୦ଗୁଣା ବଢ଼ି ୫୫ଲକ୍ଷ ୪୧ହଜାର ହୋଇଯାଇଛନ୍ତି। ୟୁଟ୍ୟୁବରେ ମଧ୍ୟ ପ୍ରତିଦିନ ୫୦୦୦ଲୋକ ଅନଲାଇନ୍ ଦର୍ଶନ କରୁଛନ୍ତି।

୮.ବାଙ୍କେ ବିହାରୀ : ମଥୁରାର ବାଙ୍କେ ବିହାରୀ ମନ୍ଦିର ଆପରେ ଦର୍ଶନ କରୁଥିବା ଲୋକ ଧୀରେ ଧୀରେ ବଢ଼ିବାରେ ଲାଗିଛନ୍ତି। ଏବେ ଏହା ୫୦ହଜାରକୁ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.