କାର୍ ଭିତରୁ ବାପା, ମା' ଓ ଝିଅଙ୍କ ମୃତଦେହ ଉଦ୍ଧାର : ଋଣ ଓ ଅନଲାଇନ୍ ଗେମ୍‌ରେ ଟଙ୍କା ହାରିବା ପରେ ଚରମ ପଦକ୍ଷେପ

Published By : Prameya-News7 Bureau | May 09, 2024 IST

ଝାରସୁଗୁଡା ୯।୫: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ଘଟଣାରେ ଅନଲାଇନ ବେଟିଂରେ ଲକ୍ଷାଧିକ ଟଙ୍କା ହାରିବା ଓ ବେଟିଂରେ ଭାଗ ନେବାକୁ ଘରୋଇ ଋଣ ମୂଳ କାରଣ ବୋଲି ଜଣାପଡିଛି । ଏ ନେଇ ସ୍ପଷ୍ଟ କଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡା ଏସପି ସ୍ମିଥ ପରମାର । ସୁବିଧାରେ ବହୁ ଅର୍ଥ ଉପାର୍ଜନ କରିବା ଲକ୍ଷ୍ୟରେ ସୁଜିତ ନିୟମିତ ଭାବେ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଜୁଆ ବା ବେଟିଂରେ ଭାଗ ନେଉଥିଲେ । ଏହାସହ ଅନେକ ବ୍ୟକ୍ତିଙ୍କ ନିକଟରୁ ହାତ ଉଧାର ଭାବେ ଲକ୍ଷାଧିକ ଟଙ୍କା ନେଇ ଋଣଗ୍ରସ୍ତ ଥିଲେ । ଋଣବୋଝ ସହି ନପାରି ଏଭଳି ଏକ ନାରକୀୟ କାଣ୍ଡ ଭିଆଇଲେ ସୁଜିତ । ଘଟଣାସ୍ଥଳକୁ ଜିଲ୍ଲା ଏସପି ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଯାଇ ତଦନ୍ତ କରି ଫେରିବା ପରେ ସାଧାରଣରେ ଯେଭଳି ଭାବେ ବେଟିଂ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ଲୋକେ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି ।

ଘଟଣା ଥିଲା କିଛି ଏପରି…

ସବୁ ଠିକ୍ ଚାଲୁଥିଲା । ବୁଧବାର ମଧ୍ୟାହ୍ନରେ ଘରେ ଭୋଜନ ସାରି ନିଜ କାର୍‌ରେ ବୁଲିବାକୁ ବାହାରିଲେ  ଓରିଏଣ୍ଟ ଥାନା ଅଂଚଳ କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଏବଂ ଝିଅ ଅର୍ପିତା ରାୟ । ରାତି ସୁଦ୍ଧା ଘରକୁ ନ ଫେରିବାରୁ ସମ୍ପର୍କୀୟ ମାନେ ଲଖନପୁର ଥାନାରେ ଖବର ଦେଇଥିଲେ । ପୋଲିସ ସୁଜିତର ମୋବାଇଲ ଟ୍ରାକ କରି ଲଖନପୁର ନିକଟସ୍ଥ ଏକ ପଡ଼ିଆରେ ବନ୍ଦ କାର ଭିତରୁ ୩ ଜଣଙ୍କ ମୃତଦେହ ପାଇଥିଲେ।ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚି଼ହ୍ନ ରହିଛି ଏବଂ କାରରେ ମଧ୍ୟ ଗୁଳି ଦାଗ ରହିଛି l ବାପା ସୁଜିତ ରାୟ ସ୍ତ୍ରୀ ଏବଂ ଛୁଆକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି l କାର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି l ସାଇଣ୍ଟିଫିକ୍ ଟିମ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l 

ସୁଜିତଙ୍କ ଘରେ ୩ ବର୍ଷର ଝିଅ ଏବଂ ତାଙ୍କ ବାପା-ମା’ ଅଛନ୍ତି l ପଡୋଶୀ ଲୋକଙ୍କ କହିବା ଅନୁସାରେ ସୁଜିତ ବୁଧବାର ଅପରାହ୍ନ ପ୍ରାୟ ୩ଟା ୨୦ମିନିଟ୍‌ରେ ନିଜ କାରରେ ବଡ଼ ଝିଅ ଏବଂ ସ୍ତ୍ରୀ ସହ ଘରୁ ବାହାରିଥିଲେ l ହେଲେ ସେ ରାତି ୧୦ ଟା ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଏବଂ ପଡୋଶୀ ମିଶି ଓରିଏଣ୍ଟ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ସୁଜିତଙ୍କ ମୋବାଇଲ ଟ୍ରାକ୍ କରି ଲଖନପୁର ଥାନା ଅଂଚଳ ବାଣୀପାହାଡ଼ ନିକଟରେ ଥିବା ଜାଣିବାକୁ ପାଇଥିଲା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବା ବେଳେ ସୁଜିତ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତାର ମୃତଦେହ ଗାଡି ଭିତରେ ଥିଲା  l କାରର ଇଞ୍ଜିନ ଅନ୍ ଥିବା ସହ ଏସି ଚାଲିଥିଲା l ତେବେ ପଡୋଶୀମାନେ କହିଛନ୍ତି, ସେମାନଙ୍କ କୌଣସି ପାରିବାରିକ କଳହ ନଥିଲା l ଭଲ ପରିବାର ଥିଲେ l ସୁଜିତ ମଧ୍ୟ ଘରୋଇ କମ୍ପାନୀରେ ଚାକିରି କରୁଥିଲେ l ତେବେ ଏମିତି ଅଭାବନୀୟ ଘଟଣା କିପରି ଘଟିଲା ତାହା ତଦନ୍ତ ସାପେକ୍ଷ ବୋଲି ପଡୋଶୀ କହିଛନ୍ତି।

You Can Read :

ଅନ୍ୟ ଜାତିରେ ବିବାହ କଲା ପୁଅ, ଘରେ ପୁରାଇଲେନି ବାପା-ମା’ : ୨ ଦିନ ହେଲା ଘର ଆଗରେ ନବଦମ୍ପତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.