ଅନଲାଇନ୍ରେ ଶସ୍ତାରେ ପିଆଜ ବିକିବେ ସରକାର, ଦର ଉପରେ ନିୟନ୍ତ୍ରଣ ପାଇଁ ନିଆଗଲା ନିଷ୍ପତ୍ତି
12/08/2023 at 6:01 PM

ନୂଆଦିଲ୍ଲୀ, ୧୨/୦୮: ପିଆଜର ବଢ଼ୁଥିବା ଦାମ୍କୁ ଦୃଷ୍ଟିରେ ରଖି ସରକାର ଅନଲାଇନ୍ରେ ପିଆଜ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ପିଆଜର ଦରବୃଦ୍ଧି ରୋକିବା ପାଇଁ ଅନଲାଇନ୍ ଇ-କମର୍ସ ଦ୍ବାରା ଉଚିତ୍ ମୂଲ୍ୟ ଅର୍ଥାତ୍ ଶସ୍ତା ଦାମ୍ରେ ପିଆଜ ବିକ୍ରି କରାଯିବ। ସରକାରଙ୍କ ଏହି ପଦକ୍ଷେପ ଫଳରେ ସାଧାରଣ ଜନତାଙ୍କୁ ବେଶ୍ ଆଶ୍ବସ୍ତି ମିଳିବ। ଏହା ବ୍ୟତୀତ କେନ୍ଦ୍ର ସରକାର ବଫର ଷ୍ଟକ୍ରୁ ମଧ୍ୟ ପିଆଜ ବିକ୍ରି କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ପାଖରେ ୩ ଲକ୍ଷ ଟନ୍ ପିଆଜ ଭଣ୍ଡାର ରହିଛି। ଯାହାକୁ ବଜାରକୁ ଛଡ଼ାଯିବା ପରେ ପିଆଜ ରେଟ୍ରେ ହ୍ରାସ ହୋଇପାରେ।
ପ୍ରକୃତରେ ବର୍ତ୍ତମାନ କିଛି ରାଜ୍ୟରେ ପିଆଜ ମୂଲ୍ୟ ୫୦-୬୦ ଟଙ୍କା କିଲୋ ପିଛା ରହିଛି ଏମିତିକି କିଛି ରାଜ୍ୟରେ ମୂଲ୍ୟ ୭୦ ଛୁଇଁଛି। ଯେଉଁ ରାଜ୍ୟରେ ପିଆଜ ଦାମ୍ ବଢ଼ିଛି ସରକାର ସେହି ରାଜ୍ୟରେ ଇ-କମର୍ସ ମାଧ୍ୟମରେ ଶସ୍ତାରେ ପିଆଜ ବିକିବେ। ବଜାରରେ ଦରବୃଦ୍ଧି ଫଳରେ ସରକାର ଏହି ପିଆଜର ଇଲେକ୍ଟ୍ରୋନିକ୍ ନିଲାମୀ କରିବେ। ଯେତେବେଳେ ଦେଶରେ ଅଟା ଦାମ୍ ଅତ୍ୟଧିକ ବଢ଼ିଥିଲା, ସେତେବେଳେ ସରକାର ଗହମର ବଫର ଷ୍ଟକ୍ ଜାରି କରିଥିଲେ। ଏହାକୁ ଫ୍ୟାକ୍ଟ୍ରି ଏବଂ ଏଫଏମସିଜି କମ୍ପାନିଙ୍କୁ ଦିଆଯାଇଥିଲା। ଆଉ ଏବେ ସେହିଭଳି ଭାବରେ ସରକାର ପଦକ୍ଷେପ ନେଉଛନ୍ତି।
ଆହୁରି ପଢ଼ନ୍ତୁ: ଟମାଟର ପରେ ଏବେ କନ୍ଦାଇବ ପିଆଜ, ଜାଣନ୍ତୁ କେବେ ଓ କେତେ ବଢିବ ଦର?
ସେହିଭଳି ସରକାର ଅନଲାଇନ୍ ONDC ଭଳି ଇ-କମର୍ସ ପ୍ଲାଟଫର୍ମରେ ଶସ୍ତା ଦାମ୍ରେ ପିଆଜ ବିକ୍ରି କରିପାରନ୍ତି। ନିକଟରେ ସରକାର ଟମାଟୋର ଦରବୃଦ୍ଧି ରୋକିବା ପାଇଁ ତାହାକୁ ONDCର ବିକ୍ରି କରିବା ଆରମ୍ଭ କରିଥିଲେ। ରାଜ୍ୟ ସହକାରୀ କମିଟି ଏବଂ ସରକାରୀ ନିଗର ହୋଲସେଲ୍ ଦୋକାନ ଜରିଆରେ ଲୋକଙ୍କୁ କମ୍ ଦାମ୍ରେ ପିଆଜ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଉଛି।