୩୭୫ ବସ୍ତା ପିଆଜ ଚୋରି କଲା ପରେ ଟଙ୍କା ଆଲମାରି ଖାଲି କରିଦେଲେ, ତାପରେ ଗାଡି ବ୍ୟାଟେରୀ ବି ଛାଡିଲେନି

Published By : Prameya-News7 Bureau | October 02, 2020 IST

ପାଟନା, ୦୨ ।୧୦:  ଆଳୁ ଓ ପିଆଜର ଦାମ୍ ହୁହୁ ହୋଇ ବଢିବାରେ ଲାଗିଛି । ଏହାସହ ପିଆଜ ଚୋର ମଧ୍ୟ ସକ୍ରିୟ ହୋଇଛନ୍ତି । ଗୁରୁବାର ବିହାର ପାଟନାରେ ଥିବା ଏକ ଗୋଦାମର ତାଲା ଭାଙ୍ଗି ଚୋରମାନେ ପିଆଜ ଚୋରି କରି ନେଇଛନ୍ତି । ଏପରିକି ସେମାନେ ଗୋଦାମରୁ ଟଙ୍କା, ଟ୍ରାକ୍ଟର ବ୍ୟାଟେରୀ ମଧ୍ୟ ଲୁଟି ନେଇଛନ୍ତି ।

ସୂଚନାନୁସାରେ, ପାଟନା ଫତୁହା ଥାନା ଅନ୍ତର୍ଗତ ସୋନାରୁ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ଗୁରୁବାର ରାତିରେ କିଛି ଚୋର ଗୋଦାମରେ ପସିଥିଲେ । ତାଲା ଭାଙ୍ଗିବା ପରେ ଗୋଦାମରେ ଥିବା ୩୭୫ ବସ୍ତା ପିଆଜ ନେଇଯାଇଛନ୍ତି । ଏହାର ଦାମ୍ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏହାସହ ଚୋରମାନେ ଗୋଦାମରେ ଥିବା ଆଲମାରି ଭାଙ୍ଗି ୭୫୦୦ ଟଙ୍କା, ଦୁଇଟି ଟ୍ରାକ୍ଟର ବ୍ୟାଟେରୀ, କଣ୍ଟା ସମେତ ପ୍ରାୟ ୮ ଲକ୍ଷ ଟଙ୍କାର ଚୋରି କରିଛନ୍ତି । ଏହି ଘଟଣା ବାବଦରେ ପୋଲିସକୁ ଖବର ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ପିଆଜ ବ୍ୟବସାୟୀ ତଥା ଗୋଦାମ ମାଲିକ ଧିରଜ କୁମାର କହିଛନ୍ତି ଯେ, ସେ ଗୁରୁବାର ସନ୍ଧ୍ୟାରେ ଗୋଦାମ ବନ୍ଦ କରିଥିଲେ । ଶୁକ୍ରବାର ସକାଳେ ଯେତେବେଳେ ଗୋଦାମକୁ ଯାଇଥିଲେ କବାଟ ଖୋଲା ଥିଲା । ଏପରିକି ତାଲା ମଧ୍ୟ ଭାଙ୍ଗିଯାଇଥିଲା । ଭିତରକୁ ଯାଇ ଦେଖିଲା ବେଳେ ୩୭୫ ବସ୍ତା ପିଆଜ ନଥିଲା । ଅନ୍ୟ ପିଆଜ ସବୁ ଏଣେତେଣେ ପଡିଥିଲା । ଏପରିକି ଗୋଦାମ ଭିତରେ ଥିବା ଆଉ ଦୁଇଟି ତାଲା ମଧ୍ୟ ଭଙ୍ଗାଯାଇଥିଲା ।

ସୂଚନାଯୋଗ୍ୟ, ୨୦୧୯ରେ ଚୋରମାନେ ଏହି ଗୋଦାମରୁ ୧୦ ଲକ୍ଷ ଟଙ୍କାର ପିଆଜ ଚୋରି କରିନେଇଥିଲେ । ଏହାର ପତ୍ତା ଏବେସୁଦ୍ଧା ପୋଲିସକୁ ମିଳିପାରି ନାହିଁ । ଏବେ ପୁଣି ଚୋରି ହେବା ପରେ ପୋଲିସ ତଦନ୍ତକୁ ଗତିଶୀଳ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.