ନୂଆଦିଲ୍ଲୀ: OnePlus NordCE4 ଭାରତରେ ଲଞ୍ଚ୍ ହେବା ପରେ ଏହାର ବିକ୍ରି ନେଇ ଏବେ ଆଶଙ୍କା ଦେଖା ଦେଇଛି। କାରଣ କମ୍ପାନୀ ଓ ମୋବାଇଲ୍ ରିଟେଲର୍ସମାନଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ରିଟେଲର୍ସମାନେ ୱାନ ପ୍ଲସ୍ ନର୍ଡ ସିଇ୪ ଫୋନ୍ ବିକ୍ରି କରିବାକୁ ଅମଙ୍ଗ ହେଉଛନ୍ତି।
କେବଳ ସେତିକି ନୁହେଁ, ଦକ୍ଷିଣ ଭାରତରେ ୱାନ୍ପ୍ଲସକୁ ଜୋର୍ଦାର ବିରୋଧ କରାଯାଇଛି। ମେ ୧ ତାରିଖ ଠାରୁ କମ୍ପାନୀ କୌଣସି ପ୍ରଡକ୍ଟ ବିକ୍ରି କରାଯିବ ନାହିଁ ବୋଲି ଦକ୍ଷିଣ ଭାରତୀୟ ସଂଗଠିତ ଖୁଚୁରା ସଂଘ(ଓରା) ମନା କରିଦେଇଛି।
ବ୍ୟବସାୟୀ ବାରମ୍ବାର ଦାବି କରିବା ସତ୍ତ୍ୱେ କମ୍ପାନୀ ଦାବି ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏଭଳି ଏକ ପଦକ୍ଷେପ ନେବାକୁ ପଡ଼ୁଛି ବୋଲି ମୋବାଇଲ୍ ରିଟେଲର୍ସମାନେ କହିଛନ୍ତି।
ମାମଲାକୁ ନେଇ ରିଟେଲର୍ସ ସଂଘ ପ୍ରବକ୍ତା କହିଛନ୍ତି “ ଆପଣଙ୍କ କମ୍ପାନୀ ସହିତ ଥିବା ସମସ୍ୟାର ସମଧାନ ପାଇଁ ଆମର ନିରନ୍ତର ପ୍ରୟାଶ ସତ୍ତ୍ୱେ ଏଥିରେ ସାମାନ୍ୟ ଅଗ୍ରଗତି ହୋଇଛି। ହେଲେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇ ନାହିଁ। ତେଣୁ ଆମ ପାଖରେ ଏଭଳି କଠୋର ପଦକ୍ଷେପ ନେବା ଛଡ଼ା ଅନ୍ୟ ରାସ୍ତା କିଛି ନଥିଲା।”
ପଢ଼ନ୍ତୁ-ଜର୍ମାନୀ ଓ ଚୀନକୁ ପଛରେ ପକାଇଲା ଭାରତ: ଏହି ସଫଳତା ପାଇବାରେ ହେଲା ବିଶ୍ୱର ଚତୁର୍ଥ ବଡ଼ ଦେଶ
ତେବେ କମ୍ପାନୀ ଓ ରିଟେଲର୍ସଙ୍କ ମଧ୍ୟରେ ଥିବା ସମସ୍ୟା ଯଦିଓ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ ତେବେ ଓରା ୱାନ୍ପ୍ଲସ୍ ଉପରେ ଅସନ୍ତୋଷ ପ୍ରକାଶ କରିଛି। ତେବେ ମନାନ୍ତରର ମୁଖ୍ୟ ଉଦ୍ଦେଶ୍ୟ ଲାଭକୁ ନେଇ ରହିଛି। ଓରା ଅଭିଯୋଗ କରିଛି ଯେ ୱାନପ୍ଲସ କ୍ରମାଗତ ଭାବରେ ଏହାର ପ୍ରଡକ୍ଟ ଉପରେ ସ୍ୱଳ୍ପ ଲାଭ ମାର୍ଜିନ ଦେଉଛି, ଯାହା ଖୁଚୁରା ବ୍ୟବସାୟୀଙ୍କୁ ସୁହାଉ ନାହିଁ। ବିଶେଷ କରି ଅପରେଟିଂ ଏବଂ ଆର୍ଥିକ ଖର୍ଚ୍ଚକୁ ଦୃଷ୍ଟିରେ ରଖି ୱାନ୍ପ୍ଲସ୍ ମାର୍ଜିନ ଆଦୌ ସୁହାଉ ନାହିଁ ବୋଲି ରିଟେଲର୍ସ ସଂଘ ଓରା କହିଛି।
ଏଥିସହିତ ସମସ୍ୟା ସମାଧାନର ବିଳମ୍ବ ସର୍ଭିସିଂରେ ସମସ୍ୟା ଯୋଗୁ ଗ୍ରାହକମାନେ ମଧ୍ୟ କମ୍ପାନୀ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଫଳରେ ଏହା ଖୁଚୁରା ବ୍ୟବସାୟୀଙ୍କ ଉପରେ ଚାପ ପକାଉଛି ବୋଲି ଓରା କହିଛି। ଯଦି ବିବାଦ ଆଗକୁ ବଢ଼େ ତେବେ ଭାରତରେ କମ୍ପାନୀର ବ୍ୟବସାୟ ଘାଟାକୁ ଚାଲିଯିବ। ଗ୍ରାହକମାନେ ମଧ୍ୟ ସର୍ଭିସ୍ରେ ସମସ୍ୟାରେ ପଡ଼ିପାରନ୍ତି।