ଗଦେଇଗିରି ଗାଁରେ ଜଘନ୍ୟ କାଣ୍ଡ, ଜେଜେ ମାଆକୁ ହାଣି ଦେଲା ନାତି
16/08/2023 at 9:10 AM

ଜଗତସିଂହପୁର ୧୬।୦୮: ଜଗତସିଂହପୁର ବାଲିକୁଦା ଥାନା ଗଦେଇଗିରି ଗାଁରେ ଜଘନ୍ୟ କାଣ୍ଡ। ଜେଜେ ମାଆକୁ ହାଣି ଦେଲା ନାତି । ମୃତ ବୁଢ଼ୀ ମାଆ ହେଲେ ସଖି ଲତା ସାହୁ । ଏଥିସହିତ ଅନ୍ୟ ଦୁଇ ଜଣ ହେମଳତା ଦାସ ଓ ସସନ୍ଧ୍ୟାରାଣୀ ଦାସ ଗୁରୁତର ହୋଇଥିବା ବେଳେ ମୋଟ ୪ ଜଣ ଆହତ ହୋଇଛନ୍ତି । ଆହତ ଓ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୋଲିସ।
ଖବର ଅନୁଯାୟୀ, ଅଭିଯୁକ୍ତ ସମୀର ସାହୁ ଜଣେ ଯୁବତୀଙ୍କୁ ପ୍ରେମ କରି ଘରୁ ଉଠାଇ ନେଇ ଯିବା ସହ କିଛି ଦିନ ପରେ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲା । ଏହି ଘଟଣାରେ ବାଲିକୁଦା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହା ପରେ ଜଗତସିଂହପୁର ଉପକାରାଗାରରେ ତାକୁ ରଖାଯାଇଥିଲା । କିନ୍ତୁ କୌଶଳ କ୍ରମେ କାରାଗାରରୁ ସମୀର ଫେରାର ହୋଇ ଯାଇଥିଲା । ସେହି ଦିନୁ ସେ କେଉଁ ଆଡେ ଲୁଚିକରି ରହିଥିଲେ ।
ଶେଷରେ ବୁଧବାର ଦିନ ସକାଳୁ ହଠାତ ଘରକୁ ଆସି ଏକ ଭୁଜାଲିରେ ନିଜ ଜେଜେ ମାଆକୁ ହାଣି ମୁଣ୍ଡ ଅଲଗା କରି ଦେବା ସହ ସମ୍ପୃକ୍ତ ଯୁବତୀଙ୍କର ମାଆ ଖୁଡି ଓ ଅନ୍ୟ ଦୁଇ ଜଣଙ୍କୁ ହାଣି ଗୁରୁତର କରିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ କାବୁ କରି ଅଟକ ରଖିଛି । ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।