ନୂଆଦିଲ୍ଲୀ: ଏବେ ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି ବଲୁଚିସ୍ତାନ। କାରଣ ଏହିଠାରୁ ହିଁ ସୃଷ୍ଟି ହୋଇଛି ବିଦ୍ରୋହ। ସେନା ଓ ସରକାରଙ୍କ ବିରୋଧରେ ରଣହୁଙ୍କାର। ଆଉ ଚଳିବନି ବଲୁଚି ନାଗରିକଙ୍କ ଉପରେ ବର୍ବରତା। ଆଉ ଏହି ସଂଗ୍ରାମର ମହାନାୟିକା ୩୧ ବର୍ଷିୟା ଡକ୍ଟର ମହରଙ୍ଗ ବଲୋଚ। ଏହି ନାଁକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।
ଗୋଟିଏ ପଟେ BLA ବଲୁଚିସ୍ତାନର ଅଧିକାର ଦାବି କରି ହିଂସା ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ ଅଂହିସାର ମାର୍ଗକୁ ଆପଣାଇଛନ୍ତି ବିଓ୍ୱାଇଏସ ଲିଡର୍ ମହରଙ୍ଗ ବଲୋଚ। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ବଲୁଚିସ୍ତାନର ଲୋକଙ୍କ ଅଧିକାର ପାଇଁ ଲଢୁଛନ୍ତି। କିନ୍ତୁ ତାଙ୍କର ସଂଗ୍ରାମ ପଦ୍ଧତି ଶାନ୍ତିପୂର୍ଣ୍ଣ। ଗାନ୍ଧୀଙ୍କ ରାସ୍ତାରେ ଚାଲୁଥିବା ଜଣେ ମହାସଂଗ୍ରାମୀ।
ମହରଙ୍ଗଙ୍କ ନେତୃତ୍ୱାଧୀନ BYC ଶାନ୍ତିପୂର୍ଣ୍ଣ ବିରୋଧକୁ ବିଶ୍ୱାସ କରେ। ପାକିସ୍ତାନ ସରକାର ଏବଂ ସେନା ବଲୁଚି ଲୋକଙ୍କୁ ଅପହରଣ କରି ହତ୍ୟା କରୁଥିବା ଅଭିଯୋଗ ହୋଇଆସୁଛି। ୨୦୦୬ରୁ ବଲୁଚି ଲୋକଙ୍କ ଉପରେ ନିର୍ଯାତନାକୁ ନେଇ ବିରୋଧ କରିଆସୁଛନ୍ତି ମହରଙ୍ଗ।୨୦୧୧ରେ ମହରଙ୍ଗଙ୍କ ପିତା ମଧ୍ୟ ସମାନ ଢଙ୍ଗରେ ନିଖୋଜ ହୋଇଯାଇଥିଲେ ଏବଂ ପରେ ତାଙ୍କ ମୃତଦେହ ମିଳିଥିଲା। ୨୦୧୭ରେ ତାଙ୍କ ଭାଇ ନିଖୋଜ ହୋଇଯିବା ପରେ ରାସ୍ତାକୁ ଓହ୍ଲାଇଥିଲେ ମହରଙ୍ଗ। ଏକ ବର୍ଷ ପରେ ୨୦୧୮ ରେ ତାଙ୍କ ଭାଇ ଜୀବିତ ଫେରି ଆସିଥିଲେ। ନିଖୋଜ ଲୋକଙ୍କୁ ଖୋଜିବା ଆରମ୍ଭ କଲେ ମହାସଂଗ୍ରାମ। ୨୦୧୯ରେ ଗଠନ କଲେ BYC ବା ବଲୁଚ ୟାକଜହିତି କମିଟି। ସେବେଠାରୁ ବଲୁଚି ଲୋକଙ୍କ ପ୍ରସଙ୍ଗ ଉଠାଉଛି BYC।
ଗାନ୍ଧୀଙ୍କ ଅହିଂସା ମାର୍ଗକୁ ଅନୁସରଣ କରି ସମଗ୍ର ବିଶ୍ୱରେ ସମ୍ମାନ ଏବଂ ପ୍ରଶଂସା ଅର୍ଜନ କରିଚାଲିଛନ୍ତି ମହରଙ୍ଗ। ଜଣେ ମହିଳା ହୋଇ ବି ପାକିସ୍ତାନ ପାଇଁ ସାଜିଛନ୍ତି ମୁଣ୍ଡବିନ୍ଧାର କାରଣ। ସେ କେବଳ ବଲୁଚି ଲୋକଙ୍କୁ ଏକତ୍ର କରିନାହାନ୍ତି ବରଂ ତାଙ୍କର ଆହ୍ୱାନରେ ସଂଗ୍ରାମରେ ସାମିଲ ହୋଇଛନ୍ତି ହଜାର ହଜାର ଯୁବକ, ମହିଳା ଓ ଛାତ୍ରଛାତ୍ରୀ।
ଗତ ମାସରେ ବଲୁଚିସ୍ତାନର ଗ୍ୱାଦର ସହରରେ ଲୋକଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ସଭା ଡାକିଥିଲେ ମହରଙ୍ଗ। ହେଲେ ଭୟରେ ସହରରେ ପ୍ରବେଶ ନକରିବା ପାଇଁ ସମସ୍ତ ରାସ୍ତା ଅବରୋଧ କରିଥିଲା ପାକ୍ ସେନା। କେବଳ ଏତିକି ନୁହେଁ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଥିଲା। ଏପରିକି ସେହି ଅଞ୍ଚଳକୁ ପାଣି ଓ ଖାଦ୍ୟ ଯୋଗାଣ ବି ବନ୍ଦ କରାଯାଇଥିଲା। ତଥାପି ସାହସର ସହିତ ସବୁ ପରିସ୍ଥିତିର ସମ୍ମୁଖୀନ କରିଥିଲେ ମହରଙ୍ଗ । ସବୁଠାରୁ ବଡ଼ କଥା ହେଲା କିଛି ମହିଳା ନିଜ ଘରୁ ଖାଦ୍ୟ ପ୍ରସ୍ତୁତ କରି ମହରଙ୍ଗଙ୍କୁ ଦେଇଥିଲେ। କୌଣସି ନେତାଙ୍କ ପ୍ରତି ଏପରି ସମ୍ମାନ ଏବଂ ପ୍ରଶଂସା ବୋଧହୁଏ ପାକିସ୍ତାନରେ ବିରଳ।
ମହରଙ୍ଗଙ୍କ ଅଭିଯୋଗ ଅନୁସାରେ ୨୦୦୩ ପରଠାରୁ ୫୦ ହଜାରରୁ ବଲୁଚ ନାଗରିକଙ୍କୁ ଅପହରଣ କରାଯାଇଛି। ୨୫ ହଜାର ଲୋକଙ୍କୁ ଅନ୍ୟାୟ ଭାବେ ହତ୍ୟା କରାଯାଇଛି। ସରକାର ସବୁ ପ୍ରକାର ଅତ୍ୟାଚାର କରୁଛନ୍ତି। ଗତ ୧୫ ବର୍ଷ ଧରି ନିଜ ଲୋକଙ୍କ ମୃତ୍ୟୁ ସେ ନିଜ ଆଖିରେ ଦେଖିଛନ୍ତି। କହିଛନ୍ତି- ମୃତ୍ୟୁକୁ ମୋର ଭୟ ନାହିଁ। ମୁଁ ଶାନ୍ତିର ସଂଗ୍ରାମ କରୁଛି। ଅହିଂସା ପଥରେ ମୋର ସଂଗ୍ରାମ ଜାରି ରହିବ।