ସ୍କୁଟିକୁ ଧକ୍କାଦେଲା ବାଇକ୍; ଶିକ୍ଷୟିତ୍ରୀ ଓ ମହିଳା କିରାଣୀ ମୃତ, ଜଣେ ଆହତ
27/11/2022 at 12:01 AM

ଫୁଲବାଣୀ ୨୬/୧୧: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀଙ୍କ ମୃତ୍ୟୁ। ସକାଳେ ଯିବା ବେଳେ ଲିଙ୍ଗାଗଡ ଆଡ଼ୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବାରୁ ଏପରି ଅଘଟଣ ହୋଇଛି। ବିପରୀତ ଦିଗରୁ ଅଧିକ ବେଗରେ ଆସୁଥିବା ଏକ ପଲ୍ସର୍ ସେମାନଙ୍କୁ ଧ଼କ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ମାନଙ୍କୁ ଅଟୋରେ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ଡ଼ାକ୍ତର ଦୁର୍ଘଟଣା ଗ୍ରସ୍ତ ୨ ଆହତ ମହିଳାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ବାଇକ୍ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି।
ଖବର ଅନୁସାରେ, ଦୁର୍ଘଟଣାରେ ମୃତକ ମହିଳାଙ୍କ ପରିଚୟ ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ (୩୪)। ତାଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମୃତ ମହିଳା କିରାଣୀଙ୍କ ପରିଚୟ ବିମଳା ପ୍ରଧାନ(୪୭)। ସେ ମାଲିକାପଡ଼ି ପଞ୍ଚାୟତ କୁପାଗୁଡ଼ା ଗାଁର ବାସିନ୍ଦା। ଏହା ଜାଣି ଜି. ଉଦୟଗିରି ଥାନା ଅଧିକାରୀ ଅଜୟ ସ୍ୱାଇଁ ମେଡ଼ିକାଲରେ ପହଞ୍ଚି ଚାଳକ ନାବାଳକ ନିପ୍ରେଶ ନାୟକକୁ ନିଜ ଅଧୀନରେ ଚିକିତ୍ସା କରୁଥିବା ସହ ଅନ୍ୟ ଜଣେ ବାଇକ୍ ଚାଳକ ନାବାଳକ କିଟୁନ ପ୍ରଧାନକୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଆଣିବା ସହ ସ୍କୁଟି ଓ ବାଇକ୍ ଜବତ କରିଥିବା ବେଳେ ମୃତଙ୍କ ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ଦେଇଛନ୍ତି।