କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ
2/03/2020 at 8:32 PM

ଜୟପୁର ୦୨।ମାର୍ଚ୍ଚ- କାୟା ବିସ୍ତାର କରୁଛି କରୋନା। ଦିଲ୍ଲୀ, ତେଲେଙ୍ଗାନା ପରେ ଏବେ ରାଜସ୍ଥାନର ଜୟପୁରରେ ମଧ୍ୟ ବିପଦଜ୍ଜନକ କରୋନା ଭାଇରସର ଜଣେ ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ ହୋଇଛି। ରାଜସ୍ଥାନ ପହଞ୍ଚିଥିବା ଇଟାଲୀର ଜଣେ ନାଗରିକଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି। ଏହି ଯାତ୍ରୀଙ୍କୁ ଜୟପୁରର ସଓ୍ଵାଇ ମାନସିଂହ ହସ୍ପିଟାଲ(ଏସଏମଏସ)ର ଆଇସୋଲେସନ ଓ୍ଵାର୍ଡରେ ରଖାଯାଇଛି। ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କ ଅନୁଯାୟୀ ଥର୍ମାଲ ସ୍କ୍ରିନିଙ୍ଗ କରିବା ପରେ ସନ୍ଦିଗ୍ଧଙ୍କଠାରେ ପ୍ରଥମେ ନେଗେଟିଭ ମିଳିଥିଲା।
ପରେ ଯେବେ ପୁଣି ଥରେ ପରୀକ୍ଷା କରାଗଲା ତେବେ ସନ୍ଦିଗ୍ଧଙ୍କଠାରେ ପଜିଟିଭ ମିଳିଥିଲା। କ୍ରସ୍ ଭେରିଫିକେସନ ପାଇଁ ରୋଗୀଙ୍କ ନମୂନାକୁ ଏନଆଇଭି ପୁଣେ ପଠାଯାଇଛି। ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ସତର୍କତାମୂଳକ ସ୍ଵରୂପ ଇରାନ, ଚୀନ, ହଂକ କଂଗ, ସିଙ୍ଗାପୁର, ନେପାଳ, ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ସ୍କ୍ରିନିଙ୍ଗ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ରାଜସ୍ଥାନର ଚିକିତ୍ସା ଓ ସ୍ଵାସ୍ଥ୍ୟ ବିଭାଗର ମୁଖପାତ୍ର ସୋମବାର କହିଛନ୍ତି ଯେ, ଏସଏମଏସ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ଯାଞ୍ଚ ସମୟରେ ତାଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। କରୋନାର ଲକ୍ଷଣ ମିଳିବା ପରେ ରାଜ୍ୟ ଚିକିତ୍ସା ବିଭାଗ ସତର୍କ ହୋଇ ଯାଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ସମସ୍ତ ଏହି ବିଷୟରେ ପଚାରି ବୁଝିବା ସହ ସମସ୍ତ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସୋମବାର ଭାରତରେ କରୋନାର ଦୁଇଟି ନୂତନ ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ଦିଲ୍ଲୀ ଏବଂ ଅନ୍ୟ ବ୍ୟକ୍ତି ତେଲେଙ୍ଗାନାର ବାସିନ୍ଦା। ଦିଲ୍ଲୀର ଯେଉଁ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ସେ ନିକଟରେ ଇଟାଲୀ ଯାତ୍ରା କରିଥିଲେ। ତାଙ୍କର ମନୋହର ଲୋହିଆ ହସ୍ପିଟାଲରେ ଜାରି ରହିଛି। ଦ୍ଵିତୀୟ ସଂକ୍ରମିତ ବ୍ୟକ୍ତି ଦୁବାଇ ଯାତ୍ରା କରିଥିଲେ। ଉଭୟ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସ୍ଵାସ୍ଥ୍ୟ ବିଭାଗ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ଉଲ୍ଲେଖନୀୟ ଇଟାଲୀରେ ସଂପ୍ରତି କରୋନା ଭାଇରସରେ ସଂକ୍ରମଣକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।