ଏସଟିଏଫ ପଞ୍ଜାରେ ଖୋର୍ଦ୍ଧାର ଆଉ ଏକ ଖଣି ମାଫିଆ ନିତୁ ମାନସିଂହ, ଗୁଳିକାଣ୍ଡ ସହ ବୋମାମାଡ ଓ ଅନ୍ୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ
8/07/2019 at 6:33 PM

ଭୁବନେଶ୍ବର ୮।୭: କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ ଜାଲରେ ଫସିଲା ଆଉ ଏକ ଖଣି ମାଫିଆ ନିତୁ ମାନସିଂହ । କାର ଯୋଗେ ବୋଲଗଡ ଯାଉଥିବା ବେଳେ ସୁନାଖଳା ନିକଟରେ ନିତୁକୁ ସୋମବାର କାବୁ କରିଛି ଏସଟିଏଫ୍। ତେବେ ସାଙ୍ଗରେ ଥିବା ସାନ ଭାଇ ଜିତୁ ମାନସିଂହ କୌଶଳକ୍ରମେ ଫେରାର ହେବାରେ ସଫଳ ହୋଇଛି। ଦୁଇ ଭାଇ ତାପଙ୍ଗ ଓ ବେଗୁନିଆ ଅଞ୍ଚଳରେ ବେଆଇନ ପଥରଖଣି, କୁଆଁରୀ ଆଦି ଚଳାଇବା ସହ ପଥର ଚୋରା ଚାଲାଣ କରୁଥିଲେ।

ଉଭୟ ଜଗନ୍ନାଥ ମନ୍ଦିର ଓ ଖୋର୍ଦ୍ଧା ଅଞ୍ଚଳରେ ଥିବା ବିଭିନ୍ନ ପଥର ପାହାଡରେ ଦୀର୍ଘ ଦିନରୁ ଆତଙ୍କ ଖେଳାଇ ଆସୁଥିଲେ। ସେମାନଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୨ଟି ଗୁଳିକାଣ୍ଡ ସମେତ ଗୋଟିଏ ବୋମାମାଡ, କାରପୋଡି ଓ ଅନ୍ୟାନ୍ୟ ମୋକଦ୍ଦମା ରହିଛି। ଅନେକ ଦିନରୁ ପୋଲିସ ସେମାନଙ୍କ ପାଇଁ ଜାଲ ବିଛାଇଥିଲା। ହେଲେ ପଥର ଖଣି ମାଫିଆ ପୋଲିସର ଚାଲାକି ଜାଣି ସେମାନଙ୍କ ନୀତି ବଦଳାଇ ଦେଉଥିଲେ। ନିକଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଖୋର୍ଦ୍ଧାରେ ହୋଇଥିବା ଏନକାଉଣ୍ଟର ଏବେ ଖଣିମାଫିଆଙ୍କ ନିଦ ହଜେଇ ଦେଇଛି।

ଏହି କ୍ରମରେ ଏସଟିଏଫ ନିତୁ ଓ ଜିତୁଙ୍କୁ ଟାର୍ଗେଟ କରିଥିବା ବେଳେ ସେମାନେ କାର ଯୋଗେ ବୋଲଗଡ ଯାଉଥିବା ରାସ୍ତାରେ ସୁନାଖଳା ନିକଟରୁ ଧରାପଡିଛନ୍ତି। ନିତୁକୁ ଏସଟିଏଫ ଗିରଫ କରିବା ସହ ବ୍ୟବହାର କରୁଥିବା କାରକୁ ଜବତ କରିଛି। ତେବେ ଜିତୁ ଖୁବ୍ ଶୀଘ୍ର ଧରାପଡିବ ବୋଲି କହିଛି ଏସଟିଏଫ। ଗିରଫ ପରେ ନିତୁ ଖୋର୍ଦ୍ଧା ପୋଲିସ ଜିମା ଦିଆଯାଇଛି।