ସୁପ୍ରିମକୋର୍ଟରେ ବିଲକିସ ବାନୋ ମାମଲାରେ ଦୋଷୀର ଆବେଦନ, ବଡ଼ ବେଞ୍ଚ ଦ୍ୱାରା ପୁନର୍ବିଚାର ପାଇଁ ଯାଚିକାରେ କଲେ ଦାବି

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଜାନୁଆରୀରେ ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟ ମାମଲାରେ ଦଣ୍ଡିତ ଦୋଷୀଙ୍କ ଦଣ୍ଡ କୋହଳ କରି ମୁକ୍ତ କରିବା ନିଷ୍ପତ୍ତିକୁ ରଦ୍ଦ କରିଥିଲେ। ଆଉ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମାମଲାରେ ୧୧ ଅପରାଧୀ ଜେଲ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ ମଧ୍ୟ କରିଥିଲେ। ତେବେ ଏହାରି ମଧ୍ୟରେ ମାମଲାର ଜଣେ ଦୋଷୀ ଧାରା ୩୨ ଯାଚିକା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଦୋଷୀ ଯାଚିକାରେ କହିଛନ୍ତି​‌ ଯେ, ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଗୁଜରାଟ ଏବଂ ମହାରାଷ୍ଟ୍ର ଦ୍ବାରା ଦଣ୍ଡରେ କୋହଳ ନିୟମ ମାମଲା ବିରୋଧରେ ଆଦେଶ ଦେଇଛନ୍ତି। ତେଣୁ ଏଭଳି ଉଚିତ ପଦକ୍ଷେପ ଉଠାଯାଉ ଏବଂ ମାମଲାକୁ ପୁନର୍ବିଚାର ପାଇଁ ବଡ଼ ବେଞ୍ଚ ପାଖକୁ ପଠାଯାଉ। ଧାରା ୩୨ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାରରେ ରହିଛି । ଏହା ଅନୁଯାୟୀ, କୌଣସି ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ସମ୍ବିଧାନର ଅନୁଚ୍ଛେଦ ୩୨କୁ ସମ୍ବିଧାନର ଆତ୍ମା ମଧ୍ୟ କୁହାଯାଏ। ଏହି ଅନୁଚ୍ଛେଦ ଅନୁଯାୟୀ, ବିଲକିସ ବାନୋ ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ୨୦୦୦ କୋଟି ଟଙ୍କା ଜିତିଲେ ୪ ଭାରତୀୟ ଭାଇଭଉଣୀ: ପାରିବାରିକ ମାମଲାରେ କୋର୍ଟଙ୍କ ବଡ଼ ରାୟ

ସୂଚନାଥାଉକି, ଗୁଜରାଟ ସରକାର ଅଗଷ୍ଟ ୨୦୨୨ରେ ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ଯେତେବେଳେକି ମୁମ୍ବାଇ ସିବିଆଇର ଏକ ବିଶେଷ ଅଦାଲତ ବିଲକିସଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ସାତ ସଦସ୍ୟଙ୍କ ହତ୍ୟା ଅଭିଯୋଗରେ ୨୦୦୮ରେ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ। ବମ୍ବେ ହାଇକୋର୍ଟ ମଧ୍ୟ ଏହି ଦଣ୍ଡ ଉପରେ ମୋହର ମାରିଥିଲେ। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ କହିଥିଲେ ଯେ, ‘‘ଗୁଜରାଟ ସରକାର ଦୋଷୀଙ୍କୁ କିଭଳି କ୍ଷମା କରିପାରିବେ ? ଶୁଣାଣି ମହାରାଷ୍ଟ୍ରରେ ହୋଇଥିଲା ତ’ ନିଷ୍ପତ୍ତି ମଧ୍ୟ ସେହି ସରକାର କରିବେ।’’

ଗୁଜରାଟ ସରକାର, ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରି ବିଲକିସ ବାନୋ ମାମଲାରେ କୋର୍ଟଙ୍କ ନିଷ୍ପତ୍ତିରେ, ରାଜ୍ୟ ବିରୋଧରେ କିଛି ଟିପ୍ପଣୀକୁ ଅନୁଚିତ କହିବା ସହ ତାହାକୁ ହଟାଇବାକୁ ଅନୁରୋଧ କରିଥିଲେ। ଗୁଜରାଟ ସରକାର ଯାଚିକାରେ କହିଥିଲେ ଯେ, ସର୍ବୋଚ୍ଚ ଅଦାଲତଙ୍କ ଜାନୁଆରୀ ୮ର ନିଷ୍ପତ୍ତି ସ୍ପଷ୍ଟ ଭାବରେ ତ୍ରୁଟିପୂର୍ଣ୍ଣ ଥିଲା। ଏଥିରେ ରାଜ୍ୟକୁ ବିବେକାଧିକାର ଦୁରୂପଯୋଗ କରିଥିବା ନେଇ କୁହାଯାଇଥିଲା।

ଯାଚିକାରେ କୁହାଯାଇଛି ଯେ, ସର୍ବୋଚ୍ଚ ଅଦାଲତଙ୍କ ଅନ୍ୟ ଏକ ସମନ୍ବୟ କମିଟି ୨୦୨୨ ମେ ରେ ଗୁଜରାଟ ରାଜ୍ୟକୁ ଯୋଗ୍ୟ ସରକାର କହିଥିଲେ ଏବଂ ରାଜ୍ୟକୁ ୧୯୯୨ର କୋହଳ ନୀତି ଅନୁଯାୟୀ ଦୋଷୀଙ୍କ ମଧ୍ୟରୁ ଜଣକ କ୍ଷମା ଆବେଦନ ଉପ​ରେ ନିର୍ଣ୍ଣୟ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.