ରାଇଘରରେ ପୁଣି ମାଓବାଦୀଙ୍କ ରକ୍ତପାତ, ଯୁବକଙ୍କୁ ଗୁଳି କରି ହତ୍ୟା
18/03/2023 at 10:52 AM

ଉମରକୋଟ ୧୮।୦୩ : ନବରଙ୍ଗପୁର ରାଇଘରରେ ପୁଣି ମାଓ ହିଂସା । ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଣ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀ ମାନେ ଗୋଟାଏ ପରେ ଗୋଟାଏ କାଣ୍ଡ ଘଟାଇ ଚାଲିଛନ୍ତି l ଗତ ଫେବୃଆରି ମାସ ୨୩ ତାରିଖ ଦିନ ସେମାନେ ହାତିଗାଁ ଅନ୍ତର୍ଗତ ଖାଲେପାରା ଗାଁର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ । ଏହାପରେ ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା (ଛତିଶଗଡ଼) ଗାଁର ନାରଦ ମାର୍କମ (୪୫)ଙ୍କୁ ମଧ୍ୟ ହତ୍ୟା କରିଥିଲେ ।
ସେହିପରି ଶନିବାର ଦିନ ରାଇଘର ଥାନା ନାକଟିସିମୋଡ଼ା ପଞ୍ଚାୟତ ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଶଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜଙ୍ଗଲ କାଟି ଗାଁ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ଘଟଣାସ୍ଥଳରେ ପଡିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ମୈନପୁର-ନୂଆପଡ଼ା ଡିଭିଜିନାଲ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।