ବାଇକ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

Published By : Prameya-News7 Bureau | February 26, 2022 IST

ବୌଦ୍ଧ ୨୬।୦୨ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ମର୍ଜାଦପୁର ଛକ ଠାରେ ରାସ୍ତା ଅବରୋଧ । ବାଇକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।

ଖବର ଅନୁଯାୟୀ, ଶୁକ୍ରବାର ରାତି ସମୟରେ ସୋନପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ ବାଇକ  ମର୍ଜାଦିପୁର ଗାଁର ରାସ୍ତା କଡ଼ରେ ଛିଡା ହୋଇଥିବା କୁନି ସେଠୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କୁନି ଗୁରୁତର ହୋଇଥିଲେ ।  ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ମୃତ ମହିଳାଙ୍କ କ୍ଷତିପୂରଣ ଦାବୀରେ ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଫଳରେ ବୌଦ୍ଧ ସୋନପୁରକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.