ଚଳନ୍ତା ବସ୍ରେ ଯାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଜଣାପଡିବ କାରଣ..
7/09/2022 at 2:08 PM

ଦେବଗଡ଼ ୦୭।୦୯ : ଚଳନ୍ତା ବସ୍ରେ ଯାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ କେନ୍ଦୁଝର ଜିଲ୍ଲାର ତେଲକୋଇ ଯାଉଥିବା ସମଲେଶ୍ବରୀ ବସରେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କେଲଡା ଗାଁର ବଇଚନ୍ଦ୍ର ବାଘଙ୍କ ପୁଅ ଋକ୍ମଣ ବାଘ, ବୟସ ୩୨ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ମୃତ ଋକ୍ମଣ କୌଣସି କାର୍ଯ୍ୟରେ ମଙ୍ଗଳବାର କୁଚିଣ୍ଡା ଯାଇଥିବା ବେଳେ ବୁଧବାର ସକାଳେ ବସ ଯୋଗେ ଘରକୁ ଫେରୁଥିଲେ । ସେ ସିଟ୍ରେ ନିସ୍ତେଜ ହୋଇ ବସିଥିବା ବେଳେ ଦେବଗଡ ବସଷ୍ଟାଣ୍ଡରେ କର୍ମଚାରୀ ଦେଖିଥିଲେ । ଏପରେ ତୁରନ୍ତ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।