ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ମାଛ ଧରିବା ବେଳେ ବୁଡିଯାଇଥିଲା ଡଙ୍ଗା
25/05/2023 at 2:41 PM

ଚିତ୍ରକୋଣ୍ଡା ୨୫।୦୫ : ଚିତ୍ରକୋଣ୍ଡା ଜଳ ଭଣ୍ଡାରେ ଡଙ୍ଗା ବୁଡି ଘଟଣା । ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଖବର ଅନୁଯାୟୀ, କୋରୁକୋଣ୍ଡା ବ୍ଳକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଡାଇକ-୩ ଗାଁର ତିନି ଜଣ ବ୍ୟକ୍ତି ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଏକ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ ।
ତେବେ ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ଦୁଇଜଣ କୌଶଳ କ୍ରମେ ପହଁରି ପହଁରି କୁଳକୁ ପହଂଚି ଥିବା ବେଳେ କୃପା ମଧ୍ୟ ବଞ୍ଚିବା ପାଇଁ ବହୁ ଚେଷ୍ଟା କରିଥିଲା। କିନ୍ତୁ ନଦୀ ଗର୍ଭରେ ନିଖୋଜ ହୋଇଯାଇଥିଲା କୃପା। ବହୁତ୍ ଖୋଜା ଖୋଜି ପରେ ନିଖୋଜ ଥିବା କୃପାର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବର୍ତ୍ତମାନ ଦୁଃଖରେ ଶୋକାକୁଳ ପରିବେଶ। ପ୍ରତିବର୍ଷ ଏହି ସମୟରେ ବାଲିମେଳା ଜଳ ଭଣ୍ଡାରରେ ସ୍ଥାନୀୟ ଆଦିବାସୀଙ୍କ ମୁଣ୍ଡ ଗଡୁଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ।