ଯାତ୍ରୀବାହୀ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଜଣଙ୍କର ମୃତ୍ୟୁ
2/06/2023 at 3:24 PM

ବୌଦ୍ଧ ୨।୬: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ ନଂ ଜାତୀୟ ରାଜପଥ ରଙ୍ଗମାଟିଆ ଠାରେ ଯାତ୍ରୀବାହୀ ବସ୍ ଓ ସ୍କୁଟି ଧକ୍କା । ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ବସ୍ ଟି ବ୍ରହ୍ମପୁରରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବସ୍ ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଜଣେ ସ୍କୁଟି ଆରୋହୀ ଚାରିଛକ ପଟରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗ୍ରାଣ୍ଡ ନାମକ ଏକ ଯାତ୍ରୀବାହୀ ବସ୍ ସହିତ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସ୍କୁଟି ଆରୋହୀ ଜଣକ ଗୁରୁତର ହୋଇଥିଲେ ଏବଂ ଚାରି ଛକ ଅଗ୍ନିଶମ ବାହନୀ ଖବର ପାଇ ସ୍କୁଟି ଆରୋହୀଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ପର୍ଯ୍ୟନ୍ତ ସ୍କୁଟି ଆରୋହୀଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍ ରେ ଥିବା ପ୍ରାୟ ୫୦ଜଣ ଯାତ୍ରୀ । କୌଣସି ଯାତ୍ରୀଙ୍କୁ କୌଣସି ଅସୁବିଧା ହୋଇନଥିବା ବେଳେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ।
You Can Read :