ନନ୍ଦକୂଅରୁ ପଙ୍କ ଉଦ୍ଧାର କରିବା ବେଳେ ଅଘଟଣ, ଶ୍ବାସ ରୁଦ୍ଧ ହୋଇ ଶଳା ମୃତ, ଭିଣୋଇ ଗୁରୁତର

Published By : Prameya-News7 Bureau | June 02, 2022 IST

ତେଲକୋଇ, ୦୨/୦୬: କୂଅରୁ ପଙ୍କ ଉଦ୍ଧାର କରିବା ବେଳେ ଅଘଟଣ । ଶ୍ବାସରୁଦ୍ଧ ହୋଇ ଶଳା ମୃତ, ଭିଣୋଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଗୁଡିକଂସର ଗାଁରେ । ମୃତକ ଶଳା ହେଲେ କାଳିଆହତା ଗାଁର ନିରଞ୍ଜନ ଓରଫ ବଡବାବୁଲା । ଗୁରୁତର ହେଲେ ଗୁଡିକଂସର ଗାଁ ର ବ୍ରହ୍ମାନନ୍ଦ ମହାନ୍ତ ।

ଆଜି କିଛି ଲୋକଙ୍କ ସହାୟତାରେ ବ୍ରହ୍ମାନନ୍ଦ ମହାନ୍ତ ଓ ତାଙ୍କ ଶଳା ନିରଞ୍ଜନ ଓରଫ ବଡବାବୁଲ ନନ୍ଦକୂଅରୁ ପଙ୍କ ଉଦ୍ଧାର କରୁଥିଲେ । ପ୍ରଥମେ ଭିଣୋଇ ବ୍ରହ୍ମାନନ୍ଦ କୂଅ ଭିତରେ ପଶି ପଙ୍କ ଉଦ୍ଧାର କରୁଥିବା ବେଳେ ଅଣନିଶ୍ବାସୀ ହେବା ଫଳରେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କ ଶଳା ନିରଞ୍ଜନ ପଙ୍କ ଉଦ୍ଧାର ପାଇଁ କୂଅ ଭିତରକୁ ଯାଇଥିଲେ । ତେବେ କିଛି ସମୟ ପରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି । ଗୁରୁତର ବ୍ରହ୍ମାନନ୍ଦଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.